Categories: ଗଞ୍ଜାମ

ବିଦ୍ୟୁତ୍‌ ଆଘାତରେ ନାବାଳକଙ୍କ ମୃତ୍ୟୁ, ରାସ୍ତାରୋକୋ

ଭଞ୍ଜନଗର,୧୩।୮(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଗୁଣ୍ଡିରିବାଡ଼ିରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବିଦ୍ୟୁତ୍‌ ଖୁଣ୍ଟକୁ ଭିଡିକରି ରଖିବା ନିମନ୍ତେ ଲାଗିଥିବା ଷ୍ଟେ ତାରରେ ଲାଗି ଜଣେ ନାବାଳକ ମୃତ୍ୟୁ ଘଟିଛି। ସେ ହେଲେ ସନ୍ନ୍ୟାସି ପ୍ରଧାନଙ୍କ ପୁଅ ଶ୍ରୀକାନ୍ତ (୧୦)। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ନିଧିଆପଲ୍ଲୀଠାରେ ସ୍ଥାନୀୟ ଲୋକେ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ଭଞ୍ଜନଗର-ଫୁଲବାଣୀ ରାସ୍ତା ଅବରୋଧ କରିଥିଲେ।
ପ୍ରକାଶ ଯେ, ଶ୍ରୀକାନ୍ତ ଘର ସମ୍ମୁଖରେ ସାଙ୍ଗମାନଙ୍କ ସହ ଖେଳୁଥିବାବେଳେ ନିକଟରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ପାଖକୁ ବଲ୍‌ ଚାଲିଯାଇଥିଲା। ଶ୍ରୀକାନ୍ତ ଆଣିବାକୁ ଗଲାବେଳେ ଖୁଣ୍ଟର ଷ୍ଟେ ତାରକୁ ଧରି ପକାଇଥିଲେ। ଉକ୍ତ ତାର ଚାର୍ଜ ହୋଇଥିବାରୁ ଶ୍ରୀକାନ୍ତ ସେଥିରେ ଲାଗିଯାଇଥିଲେ। ତାଙ୍କୁ ଉଦ୍ଧାରକରି ପ୍ରଥମେ ମୁଜାଗଡ଼ ଓ ଗୁରୁତର ହେବାରୁ ପରେ ଭଞ୍ଜନଗର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶ୍ରୀକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ସାଉଥ୍‌କୋ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସନ୍ଧ୍ୟାରେ ନିଧିଆପଲ୍ଲୀ ଛକରେ ଭଞ୍ଜନଗର-ଫୁଲବାଣୀ ମୁଖ୍ୟରାସ୍ତା ଅବରୋଧ କରିଥିଲେ। ପ୍ରବଳ ବର୍ଷାରେ ଗ୍ରାମର ମହିଳା ପୁରୁଷ ରାସ୍ତାରେ ବସି ରହିଥିଲେ। ଉଭୟ ପାର୍ଶ୍ୱରେ ଶହଶହ ଗାଡିମୋଟର ଅଟକି ରହିଥିବାବେଳେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସାଉଥ୍‌କୋ କର୍ମଚାରୀଙ୍କ ଅବହେଳା ଯୋଗୁ ଏତେବଡ଼ ଘଟଣା ଘଟିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଚଳାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ରାସ୍ତାରୋକୋ ହଟି ନ ଥିଲା।