ବିଦ୍ୟୁତ୍‌ଲତାଙ୍କ ଜୀବନ ନେଲା ବିଦ୍ୟୁତ୍‌, ବଞ୍ଚାଇବାକୁ ଆସି ପ୍ରାଣ ହରାଇଲେ ମମତା

ବାଣପୁର/ବାଲୁଗାଁ,୮ା୧୦(ଡି.ଏନ୍‌.ଏ.): ମଙ୍ଗଳବାର ଦଶହରା ପାଇଁ ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥିବାବେଳେ ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଧୀନ ବିଷ୍ଣୁପୁର ପଞ୍ଚାୟତର ତେନ୍ତୁଳିଡିହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସକାଳ ପ୍ରାୟ ୧୦ଟାରେ ଗ୍ରାମର ୨ଜଣ ମହିଳାଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିଦ୍ୟୁତ୍‌ଲତା ମହପାତ୍ର(୬୨) ଓ ମମତା ମହପାତ୍ର(୨୫)। ବିଦ୍ୟୁତ୍‌ଲତାଙ୍କ ଘରର ଗ୍ରୀଲ୍‌ ଦେଇ ଆସିଛି ବିଦ୍ୟୁତ୍‌ ତାର। ହେଲେ କୌଣସି କାରଣରୁ ଉକ୍ତ ଗ୍ରୀଲ୍‌ ସହ ବିଦ୍ୟୁତ୍‌ ସଂଯୋଗ ହୋଇଯାଇଥିଲା। ବିଦ୍ୟୁତ୍‌ଲତା ଘର ବାହାରକୁ ଯିବା ପାଇଁ ଗ୍ରୀଲ୍‌କୁ ଛୁଇଁ ଦେବାରୁ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ସେ ସେଠାରେ ଚିତ୍କାର କରି ଟଳିପଡ଼ିଥିଲେ। ଏହା ଦେଖି ପଡ଼ୋଶୀ ପ୍ରକାଶ ମହାପାତ୍ରଙ୍କ ସ୍ତ୍ରୀ ମମତା ତାଙ୍କୁ ଉଦ୍ଧାର କରିବାକୁ ଆସି ଗ୍ରୀଲ୍‌କୁ ଛୁଇଁ ଦେବାରୁ ସେ ମଧ୍ୟ ବିଦ୍ୟୁତ୍‌ ଆଘାତ ପାଇ ସେଠାରେ ଟଳି ପଡ଼ିଥିଲେ। ଗ୍ରାମବାସୀ ଉଭୟଙ୍କୁ ତୁରନ୍ତ ବାଲୁଗାଁ ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।