ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏ ନେଇ କେଞ୍ଚୁଆନାଳୀ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଉକ୍ତ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ରବିବାର ଆଠମଲ୍ଲିକ ବ୍ଲକ ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାର ଏକ ନକଲ ଅନୁଗୋଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।
ଗ୍ରାମବାସୀ କହିଛନ୍ତି, ପ୍ରତିଦିନ ଉକ୍ତ ଶିକ୍ଷକ ବିଦ୍ୟାଳୟକୁ ଆସି ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟପାନ କରୁଛନ୍ତି। ଫଳରେ କୁନିକୁନି ଶିଶୁଙ୍କ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିପରି ମଦ୍ୟପାନ ପରେ ପାଠ ନ ପଢାଇବା ସହ ଛାତ୍ରୀଛାତ୍ରଙ୍କୁ ମାଡ଼ ମାରୁଛନ୍ତି। ଶନିବାର ଶ୍ରେଣୀ ପ୍ରକୋଷ୍ଠରେ ମଦ୍ୟ ପାନ କରୁଥିବାବେଳେ କେତେକ ଯୁବକ ଭିଡ଼ିଓ ରେକଡିଂ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଛନ୍ତି। ତୁରନ୍ତ ଉକ୍ତ ଘଟଣାକୁ ତଦନ୍ତ କରି ପଦକ୍ଷେପ ନିଆ ନ ଗଲେ ବିଦ୍ୟାଳୟରେ ତାଲା ପକାଇ ଅନ୍ଦୋଳନ କରାଯିବ ବୋଲି ଗ୍ରାମର ବାବାଜି ବେହେରା, ଗୁରୁଚରଣ ପ୍ରଧାନ, ଶୁଶାନ୍ତ ଦେହୁରି, ଭାଷ୍କର ଭୋଇ, ସରୋଜ ପ୍ରଧାନ, ବିଚ୍ଛନ୍ଦ ଭୋଇ, ପ୍ରଶାନ୍ତ ଦେହୁରି, ବିପିନ ଭୋଇଙ୍କ ସମେତ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାରଞ୍ଜନ ତ୍ରିପାଠୀଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଆଠମଲ୍ଲିକ ବିଡିଓ ସଞ୍ଜୟ କୁମାର ଆଚାର୍ଯ୍ୟ କହିଛନ୍ତି, ଉକ୍ତ ଘଟଣାକୁ ତଦନ୍ତ କରିବା ପାଇଁ ବିଇଓ ନିର୍ଦ୍ଦେଶ ଦିଆଯିବ।