Categories: ଖେଳ

ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ର: ସୁଶ୍ରୀ

ଭୁବନେଶ୍ୱର, ୧୧।୯-ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ। ଓଡ଼ିଶା ମହିଳା କ୍ରିକେଟରେ ଏହା ଏବେ ସବୁଠାରୁ ଚର୍ଚ୍ଚିତ ନାମ। ରାଜ୍ୟ ଏବଂ ଜୋନାଲ ସ୍ତରରେ ଆକର୍ଷଣୀୟ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଦିବ୍ୟଦର୍ଶିନି ଗତ କିଛିଦିନ ତଳେ ବୋର୍ଡ ସଭାପତି ଏକାଦଶର ଦଳରେ ସ୍ଥାନ ପାଇଥିଲେ। ମଙ୍ଗଳବାର ଘୋଷିତ ଭାରତ ‘ଏ’ ଏବଂ ଇମର୍ଜି ଏସିଆ କପ୍‌ ପାଇଁ ଦଳରେ ସ୍ଥାନ ପାଇ ସେ ବେଶ୍‌ ଉତ୍ସାହିତ। ବିଦେଶ ମାଟିରେ ଖେଳିବାକୁ ବ୍ୟଗ୍ରଥିବା ଦିବ୍ୟଦର୍ଶିିନୀ ପ୍ରଭାବୀ ପ୍ରଦର୍ଶନ କରି ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖିଛନ୍ତି।

ପ୍ରଶ୍ନ: ପ୍ରଥମେ ଭାରତୀୟ ବୋର୍ଡ ସଭାପତି ଏକାଦଶ ଓ ଏବେ ଭାରତ ‘ଏ’ ଏବଂ ଇମର୍ଜିଂ ଦଳରେ ସ୍ଥାନ ପାଇଛ, କେମିତି ଅନୁଭବ ହେଉଛି ?
ଉ: ବହୁତ ଖୁସି ଲାଗୁଛି। ବିଶେଷ କରି ବିଦେଶ ମାଟିରେ ଖେଳିବାକୁ ଯାଉଥିବାରୁ ଏହା ମୋ ପାଇଁ ବହୁତ ବଡ଼ ଅଭିଜ୍ଞତା ଆଣିବ। ମୁଁ ଆଗାମୀ ସିରିଜ ଏବଂ ଟୁର୍ନାମେଣ୍ଟରେ ଖେଳିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି।
ପ୍ର: ଭାରତୀୟ ସିନିୟର ଦଳରେ ସ୍ଥାନ ପାଇବାକୁ ଏହା ଏକ ସୁଯୋଗ ବୋଲି ଭାବୁଛନ୍ତି କି ?
ଉ: ବାଂଲାଦେଶରେ ଭାରତ ‘ଏ’ ପକ୍ଷରୁ ଭଲ ପ୍ରଦର୍ଶନ କରିପାରିଲେ ମୁଁ ନିଶ୍ଚିତ ସିନିୟର ଦଳରେ ସ୍ଥାନ ପାଇବାକୁ ଆଶା ରଖି ପାରିବି। ବାଂଲାଦେଶରେ ୬ଟି ମ୍ୟାଚ ଏହାପରେ ଇମର୍ଜି ଏସିଆ କପ୍‌। ପ୍ରଭାବୀ ପ୍ରଦର୍ଶନ କରି ମୁଁ ଜାତୀୟ ସିନିୟର ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଶା ରଖିଛି।
ପ୍ର: ନିକଟରେ କେଉଁ ପ୍ରଦର୍ଶନ ପାଇଁ ଭାରତ ‘ଏ’ କିମ୍ବା ଇମର୍ଜିଂ ଦଳରେ ସ୍ଥାନ ମିଳିଲା ବୋଲି ଭାବୁଛନ୍ତି।
ଉ: ମୁଁ ସିନିୟର ଏକଦିବସୀୟରେ ଲୋୟର ଅର୍ଡରରେ ଆସିଥିଲେ ହେଁ ୪ଟି ଅର୍ଦ୍ଧଶତକ ହାସଲ କରିଥିଲି। ସ୍ପିନ ବୋଲିଂରେ ୧୭-୧୮ଟି ଉଇକେଟ ମଧ୍ୟ ନେଇଥିଲି। ଟି୨୦ରେ ମଧ୍ୟ ତୃତୀୟ ସର୍ବାଧିକ ଉଇକେଟ ହାସଲକାରୀ ଥିଲି। ୨୩ ବର୍ଷରୁ କମ୍‌ ବିଭାଗରେ ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲି। ସିଜନସାରା ମୁଁ ସ୍ଥିର ପ୍ରଦର୍ଶନ ଦେବାରେ ସକ୍ଷମ ହୋଇଥିଲି। ଟି୨୦ ଚ୍ୟାଲେଞ୍ଜର୍ସରେ ମୋତେ ଗୋଟିଏ ମ୍ୟାଚରେ ସୁଯୋଗ ମିଳିଥିଲା। ସେଥିରେ ମୁଁ ୪ ଓଭରରେ ୪ଟି ଉଇକେଟ ନେଇଥିଲି। ମହିଳା ଆଇପିଏଲରେ ମଧ୍ୟ ଭଲ ଖେଳିଥିଲି। ତେଣୁ ଓଭରଅଲ୍‌ ପ୍ରଦର୍ଶନକୁ ଦେଖାଯାଇ ମୋତେ ଏହି ସୁଯୋଗ ଦିଆ ଯାଇଛି ବୋଲି ଅନୁଭବ କରୁଛି।
ପ୍ର: ବ୍ୟାଟିଂ ନା ବୋଲିଂ, କେଉଁଥିରେ ତୁମେ ଶକ୍ତିଶାଳୀ?
ଉ: ମୁଁ ମୁଖ୍ୟତଃ ବୋଲିଂ ଅଲରାଉଣ୍ଡର। ବ୍ୟାଟିଂ କରିବାକୁ ବେଶୀ ସୁଯୋଗ ମିଳେନି। ଯେତେବେଳେ ବି ସୁଯୋଗ ମିଳିଛି ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି। ତେବେ ଟିମ୍‌ରେ ମୋ ବୋଲିଂକୁ ବେଶୀ ଫୋକସ କରାଯାଉଛି। ବୋଲିଂ ମୋର ଭଲ ଅଛି, ବ୍ୟାଟିଂରେ ଆଉଟିକେ ଉନ୍ନତି ଆଣିବାକୁ ପଡ଼ିବ।
ପ୍ର: ସଫଳତାର ଶ୍ରେୟ ତୁମେ କାହାକୁ ଦେବାକୁ ଚାହିଁବ ?
ଉ: ପ୍ରଥମେ ମୁଁ କୋଚ୍‌ କ୍ଷୀରୋଦ ବେହେରାଙ୍କୁ ନିଶ୍ଚିତ ଶ୍ରେୟ ଦେବି। ମୋ ଛୋଟ ବେଳରୁ ସେ ମୋତେ ସାହାଯ୍ୟ କରି ଆସିଛନ୍ତି ଏବଂ ତ୍ରୁଟି ସୁଧାରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏଶନକୁ ମଧ୍ୟ ଶ୍ରେୟ ଦେବାକୁ ପଡ଼ିବ। କାରଣ ଆମ ଆସୋସିଏଶନ ମହିଳା କ୍ରିକେଟକୁ ପ୍ରାଧାନ୍ୟ ଦେଉଛନ୍ତି। ଆସୋସିଏଶନର ସହାୟତା ପାଇଁ ଆମେ ଆଗକୁ ବଢ଼ିବାକୁ ସକ୍ଷମ ହୋଇ ପାରିଛୁ।

(ତପନ ସ୍ବାଇଁ)

Share