ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ

ଅନୁଗୋଳ ଅଫିସ୍‌, ୧୯।୩ : ଅନୁଗୋଳ ଜିଲାରେ କରୋନା ମୁକାବିଲା କରିବାକୁ ଜିଲା ପ୍ରଶାସନ ତପତ୍ର ହୋଇଛି। ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହ ଭିଡ଼ିଓ କନଫରେନ୍ସ ସରିବା ପରେ ଅଧିକାରୀମାନେ ସଜାଗ ରହିଛନ୍ତି। ବିଦେଶ ତଥା ଆକ୍ରାନ୍ତ ରାଜ୍ୟ ଫେରନ୍ତାଙ୍କ ଉପରେ ବିଶେଷ ଭାବେ ନଜର ରଖାଯାଇଛି। ସେମାନଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ଗୋଟିଏ ସ୍ଥାନରେ ଗହଳି କରୁଥିବା ଲୋକଙ୍କୁ ପୋଲିସ ଘଉଡାଉଥିବା ଦେଖିବାକୁ ମିଳିଛି।
ଯେଉଁମାନେ ବିଦେଶରୁ ଫେରିଛନ୍ତି, ସେମାନଙ୍କୁ ନିଜ ଘରେ ଆଇସୋଲେଶନ୍‌ ଗୃହରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କର ନାମ, ବୟସ, ଠିକଣା ଓ କେଉଁ ଦେଶରୁ କେବେ ଫେରିଛନ୍ତି, ତାହାର ହିସାବ ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ସମାନ ବ୍ୟବସ୍ଥା କରାଯାଉଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲାର ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ରହିଛି। ସେହିପରି ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସେମାନଙ୍କ ଘରେ ନେଇ ପହଞ୍ଚାଇବାକୁ କୁହାଯାଇଛି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀ ଓ ରାଶନ ଉପଭୋକ୍ତାଙ୍କ ପାଇଁ ଆଗାମୀ ୩ ମାସ ପର୍ଯ୍ୟନ୍ତ ଚାଉଳ, ଗହମ ଓ କିରୋସିନ ଯୋଗାଇ ଦିଆଯିବାର ବ୍ୟବସ୍ଥା ଜିଲାରେ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।