ବିଦାୟ ନେଲେ ଗଜାନନ: ବାଦ୍ୟବାଜଣାରେ କମ୍ପିଲା ପାଲଲହଡା

ପାଲଲହଡା,୧୦।୯(ଡି.ଏନ.ଏ.)-ପାଲଲହଡ଼ାରେ ୮ ଦିନ ଧରି ଚାଲିଥିବା ଗଣେଶ ପୂଜା ମେଲଣ ଏବଂ ଭାସାଣି ଉତ୍ସବ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରଥମେ ବିଭିନ୍ନ ପୂଜା କମିଟିର ମେଢ ଗୁଡ଼ିକ ସହର ପରିକ୍ରମା କରିବାପରେ ପାଲଲହଡା ଷ୍ଟାଡିୟମଠାରେ ପହଞ୍ଚିଥିଲେ। ଏହି ଅବସରରେ ବିଭିନ୍ନ ବାଦ୍ୟ ବାଜଣାରେ ସହର କମ୍ପି ଉଠିଥିଲା। ପରେ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ମେଲଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ପାଲଲହଡା ବିଧାୟକ ମୁକେଶ କୁମାର ପାଲ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ, ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଉପଖଣ୍ଡ ପୋଲିସ ଅଧିକାରୀ ଯଶୋବନ୍ତ ସାମଲ, ମୁଖ୍ୟବକ୍ତା ଭାବେ ରଘୁନନ୍ଦନ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଚଳିତବର୍ଷ ମେଲଣରେ ମୋଟ୍‌ ୧୧ଟି ମେଢ ଅଶଂଗ୍ରହଣ କରିଥିଲେ। ଶ୍ରେଷ୍ଠ ମେଢ ଭାବେ ଡାଇମଣ୍ଡ କ୍ଲବକୁ ପୁରସ୍କୃତ କରାଯାଇଥିଲା। ସେହିପରି ସାଜସଜ୍ଜା, ଶାନ୍ତିଶୃଙ୍ଖଳା, ମୂର୍ତ୍ତି ପାଇଁ ଷେଣ୍ଢ କ୍ଲବ, ଲାୟନ କ୍ଲବ, ଫ୍ରେଣ୍ଡସ କ୍ଲବ, ଶ୍ରୀରାମ କ୍ଲବ, କିଙ୍ଗ କ୍ଲବ, ଗଣପତି କ୍ଲବ ଆଦିକୁ ପୁରସ୍କୃତ କରାଯାଇଥିଲା। ପରେ କେନ୍ଦ୍ରୀୟ କମିଟି ପକ୍ଷରୁ ଗଣେଶଙ୍କ ଏକ ରୁପା ମୂର୍ତ୍ତି ଏବଂ ଆଜ୍ଞା ଲଡୁ ନିଲାମ କରାଯାଇଥିଲା। ରୂପା ମୂର୍ତ୍ତିକୁ ଜଗନ୍ନାଥ କ୍ଲବ ୨୬୦୦୦ ଟଙ୍କାରେ ଏବଂ ଆଜ୍ଞା ଲଡୁକୁ ୧୩୦୦୦ ଟଙ୍କାରେ ବଜାର ସାହି କ୍ଲବ ନିଲାମ ନେଇଥିଲେ। ଶେଷରେ ସମସ୍ତ ମେଢ ଗୁଡ଼ିକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ୟୁକୋ ବ୍ୟାଙ୍କ ଛକ ଦେଇ ବଜାର ଛକ ଠାରେ ପହଞ୍ଚି ବିଭିନ୍ନ ନଦୀଘାଟ, ପୋଖରୀରେ ବିସର୍ଜନ କରିଥିଲେ। କେନ୍ଦ୍ରୀୟ କମିଟି ସଭାପତି ସବ୍ୟସାଚୀ କପର୍ଦାର, ଉପସଭାପତି ରଞ୍ଜନ କୁମାର ସାହୁ, ସମ୍ପାଦକ ଶିବ ପ୍ରସାଦ ସାମଲ, ସହ ସମ୍ପାଦକ ଋଷିକେଶ ସାମଲ, କୋଷଧକ୍ଷ ଶିବାଦତ୍ତ ଦାଶ ସହଯୋଗ କରିଥିଲେ। ସୁରକ୍ଷା ପାଇଁ ପାଲଲହଡା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।