ବିଡିଓଙ୍କୁ ଅର୍ଥଦଣ୍ଡ ନିର୍ଦ୍ଦେଶ

କଟକ ଅଫିସ,୧୮ା୭: କେନ୍ଦ୍ରାପଡ଼ା ଜିଲା ମହାକାଳପଡା ଅଞ୍ଚଳର ସହଦେବ ସେଠୀ ନାମକ ଜଣେ ବ୍ୟକ୍ତି ନିଜର ଚାଳଘର ଛପର କରିପାରି ନ ଥିଲେ। ଏହାପରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ ମହାକାଳପଡ଼ା ବ୍ଲକରେ ଦରଖାସ୍ତ ଜରିଆରେ ଆବେଦନ କରିଥିଲେ। କିନ୍ତୁ ବ୍ଲକ କର୍ତ୍ତୃପକ୍ଷ କୌଣସି ଅନୁସନ୍ଧାନ ନ କରି ତାଙ୍କ ଦରଖାସ୍ତକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ସହଦେବ ସ୍ଥାୟୀ ଲୋକ ଅଦାଲତ (ଜନୋପଯୋଗୀ ସେବା) ନିକଟରେ ଦରଖାସ୍ତ କରିଥିଲେ। ଅଦାଲତର ବାରମ୍ବାର ନୋଟିସ ସତ୍ତ୍ବେ କେନ୍ଦ୍ରାପଡ଼ା ଜିଲାପାଳ ଅଥବା ମହାକାଳପଡ଼ା ବିଡିଓ ଅଦାଲତଙ୍କ ନିକଟରେ ହାଜର ହୋଇ ନ ଥିଲେ। ଅନ୍ୟପକ୍ଷରେ ବିଡିଓ ନିଜ ଜବାବ ଦାଖଲରେ ଟାଳଟୁଳ ନୀତି ଅବଲମ୍ବନ କରି ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ଏହି ମାମଲାର ବିଚାର କରି ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ପ୍ରେମରାଜ ବହିଦାର, ସଦସ୍ୟ ତପନ କୁମାର ମଣ୍ଡଳ ଓ ପ୍ରଦୀପ କୁମାର ପଟ୍ଟନାୟକ ଆବେଦନକାରୀଙ୍କୁ ୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ବାସଗୃହ ଯୋଗାଇଦେବା ପାଇଁ ମହାକାଳପଡ଼ା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲା ବିଚାରରେ ବିଡିଓଙ୍କ ଟାଳଟୁଳ ନୀତି, ଦାୟିତ୍ୱହୀନ କାର୍ଯ୍ୟ ତଥା ଆବେଦନକାରୀଙ୍କୁ ବାରମ୍ବାର ଦୌଡାଇ ହଇରାଣ କରିଥିବା ନେଇ ଅସନ୍ତୋଷ ପ୍ରକାଶ କରି ୫୦୦୦ ଟଙ୍କା ଅର୍ଥଦଣ୍ଡରେ ବିଡିଓଙ୍କୁ ଦଣ୍ଡିତ କରାଯାଇଛି। ଏଥିସହିତ ଆବେଦନକାରୀ ଜଣେ କୁଷ୍ଠରୋଗୀ ହୋଇଥିବାରୁ ତାଙ୍କୁ ବିକଳାଙ୍ଗ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ପଡ଼ିକାର୍ଡ ଯଥାଶୀଘ୍ର ଯୋଗାଇଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।