ବିଜେବିରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଫି’ ବଢ଼ିଲା

ଭୁବନେଶ୍ୱର, ୫।୯(ବ୍ୟୁରୋ):୨୦୨୨-୨୩ ଶିକ୍ଷାବର୍ଷରୁ ଭୁବନେଶ୍ୱରସ୍ଥିତ ବିଜେବି କଲେଜରେ ସେଲ୍ଫ ଫାଇନାନ୍ସିଂରେ ପାଠପଢ଼ା ମହଙ୍ଗା ହେବ। ସିଟ୍‌ ସହ କୋର୍ସ ଫି’କୁ ମଧ୍ୟ ବଢ଼ାଇ ଦିଆଯାଇଛି। ପିପିପି ମୋଡ୍‌ରେ ଚାଲୁଥିବା ୫ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ବିଏ, ଆଇଏମ୍‌ଏସ୍‌ସି-ଇଟିସି, ଆଇଏମ୍‌ଏସ୍‌ସି ବିଆଇ, ୨ବର୍ଷିଆ ଏମ୍‌ଜେଏମ୍‌ସିର ଫି’ ଓ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ୫ବର୍ଷିଆ ଇଣ୍ଟିଗ୍ରେଟେଡ ଏମ୍‌ବିଏ ପାଇଁ ଛାତ୍ରୀଛାତ୍ରଙ୍କୁ ପୂର୍ବରୁ ମୋଟ ୧ଲକ୍ଷ ୪୫ହଜାର ଟଙ୍କା ଦେବାକୁ ପଡ଼ୁଥିବାବେଳେ ଏହାକୁ ୧ଲକ୍ଷ ୭୫ ହଜାରକୁ ବୃଦ୍ଧି କରାଯାଇଛି। ପ୍ରଥମ ତିନିବର୍ଷ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୫ହଜାର ଲେଖାଏ ଟଙ୍କା ଏବଂ ଶେଷ ଦୁଇବର୍ଷ ବାର୍ଷିକ ୫୦ହଜାର ଲେଖାଏ ଟଙ୍କା ଦେବାକୁ ପଡ଼ିବ। ଏହାର ସିଟ୍‌ ସଂଖ୍ୟା ମଧ୍ୟ ୬୦ରୁ ୯୦କୁ ବୃଦ୍ଧି କରାଯାଇଛି।
ସେହିଭଳି ୫ବର୍ଷିଆ ଆଇଏମ୍‌ଏସ୍‌ସି-ଇଟିସି ପାଠ୍ୟକ୍ରମ ପାଇଁ ୧ଲକ୍ଷ ୧୫ ହଜାର ଟଙ୍କା ବଦଳରେ ୧ଲକ୍ଷ ୪୫ ହଜାର ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏଥିରେ ୪୮ ସିଟ୍‌ ଥିବାବେଳେ ଏହା ଏବେ ୬୦କୁ ବୃଦ୍ଧି କରାଯାଇଛି। ଆଇଏମ୍‌ଏସ୍‌ସି ବିଆଇ କୋର୍ସ ଫି’ ୧ଲକ୍ଷ ଟଙ୍କାରୁ ୧ଲକ୍ଷ ୪୫ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଏହାର ସିଟ୍‌ କ୍ଷମତା ୪୮ରୁ ୬୦କୁ ବୃଦ୍ଧି କରାଯାଇଛି। ଏହାଛଡ଼ା ଏମ୍‌ଜେଏମ୍‌ସି ପାଠ୍ୟକ୍ରମ ପାଇଁ ପୂର୍ବରୁ ୪୦ହଜାର କୋର୍ସ ଫି’ ଥିବାବେଳେ ଏବେ ତାହାକୁ ୬୦ହଜାରକୁ ବୃଦ୍ଧି କରାଯାଇଛି। ଏଥିସହ ଏହାର ସିଟ୍‌ ସଂଖ୍ୟା ୪୮ ରୁ ୬୦କୁ ବଢ଼ାଯାଇଛି। ଏହି ପାଠ୍ୟକ୍ରମଗୁଡ଼ିକ ନିର୍ଦ୍ଦିଷ୍ଟ କିଛି ସର୍ତ୍ତାବଳୀ ସହିତ କାର୍ଯ୍ୟକାରୀ ହେବ। ହେରିଟେଜ୍‌ ଭିଜନ ଏଜୁକେଶନ ଟ୍ରଷ୍ଟର ସହଭାଗିତାରେ ଏହି ପାଠ୍ୟକ୍ରମ ଜାରି ରଖିବାକୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଅନୁମତି ଦିଆଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜେବି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି। ପାଠ୍ୟକ୍ରମ ପାଇଁ କଲେଜ ପକ୍ଷରୁ ଜାଗା ଦିଆଯିବ। ତେବେ ଏଥିପାଇଁ ସମସ୍ତ ଖର୍ଚ୍ଚ ସହଯୋଗୀ ସଂସ୍ଥା ବହନ କରିବ। ଏହି ପାଠ୍ୟକ୍ରମଗୁଡ଼ିକ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପାଣ୍ଠି କିମ୍ବା କର୍ମଚାରୀ ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ ପାଠ୍ୟକ୍ରମ ପାଇଁ କଲେଜର ସାଧାରଣ ପାଠପଢ଼ାରେ ଯେପରି ବ୍ୟାଘାତ ନ ହୁଏ ସେଥିପ୍ରତି ଅଧ୍ୟକ୍ଷ ଗୁରୁତ୍ୱ ଦେବାକୁ କୁହାଯାଇଛି।