ବିଜେପୁର ଉପନିର୍ବାଚନ ଏଥର ନିଶ୍ଚୟ ଜିତିବୁ: ଅରୁଣ ସିଂ

ବରଗଡ଼ ଅଫିସ,୧୬।୧୦: ପୂର୍ବ ଉପନିର୍ବାଚନ ଏବଂ ଏଥର ଉପନିର୍ବାଚନ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। ପୂର୍ବରୁ ସମବେଦନା ଭୋଟ ଥିଲା, କିନ୍ତୁ ଏଥର ଆଉ ତାହା ନାହିଁ। ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟୀ ହେବା ପରେ ଆସନ ଛାଡିଥିଲେ। ଏହା ବିଜେପୁରବାସୀଙ୍କୁ ନିରାଶ କରିଛି। କେବଳ ସେତିକି ନୁହେଁ, ବିଜେପୁରରେ ଏବେ ମଧ୍ୟ ପାନୀୟଜଳ, ବେରୋଜଗାର ଆଦି ସମସ୍ୟା ରହିଛି। ଫଳରେ ଚଳିତ ଉପନିର୍ବାଚନରେ ଭାଜପାର ନିଶ୍ଚୟ ବିଜୟ ହେବ ଏବଂ ଓଡ଼ିଶାରେ ଦଳ ପାଇଁ ଏକ ଭଲ ମାହୋଲ ସୃଷ୍ଟି ହେବ ବୋଲି ବୁଧବାର ବରଗଡ଼ ଏକ ହୋଟେଲ ସଭାକକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଭାଜପାର ରାଷ୍ଟ୍ରୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଭାଜପା ଛାଡିବା କିମ୍ବା ମୁଖ୍ୟମନ୍ତ୍ରୀ ବିଜେପୁରକୁ ନିର୍ବାଚନୀ ପ୍ରଚାରରେ ଆସିବା କିଛି ପ୍ରଭାବ ପକାଇବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ଖବରଦାତା ସମ୍ମିଳନୀରେ ବରଗଡ ଏମ୍‌ପି ସୁରେଶ ପୂଜାରୀ, ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର, ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।