ବିଜେପୁର ଅଞ୍ଚଳରେ ବରଫପାତ: ବ୍ୟାପକ ପରିବା ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ବିଜେପୁର,୧୯।୩(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ବରଫପାତ ହୋଇଛି। ଫଳରେ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ୪ଟାରେ ହଠାତ୍‌ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏଥିସହ ପ୍ରାୟ ପାଞ୍ଚ ମିନିଟ ଧରି ବରଫପାତ ହୋଇଥିଲା। ଏହାଦ୍ବାରା ଜାରି, ସମଲାପଦର, ଗୁଡ ମୁଣ୍ଡା, ବିଲେଇପାଲି, ବେନିଆଁଚାଲ, କଲଙ୍ଗାପାଲି ଆଦି ବଭିନ୍ନ ଗାଁର ଚାଷୀମାନଙ୍କର ଲକ୍ଷାଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ଗଛରେ ଧରିଥିବା ଆମ୍ବ, ମହୁଲ, ଚାର କଷି ମଧ୍ୟ ଝଡି ପଡିଥିବା ଜଣାପଡ଼ିଛି।