ବିଚ୍ଛିନ୍ନାଞ୍ଚଳରେ ବଣ୍ଟାହେବ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ଓଡ଼ିଶା ସରକାରଙ୍କ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ବିତରଣ ଲାଗି ସଢ଼େଇକଳା ଓ ଖରସୁଆଁ ବିଚ୍ଛିନ୍ନାଞ୍ଚଳକୁ ପଠାଯାଇଛି। ମଙ୍ଗଳବାର ପୂର୍ବାହ୍ନରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ନେଇ ଯାଉଥିବା ଏକ ଗାଡ଼ିକୁ ପତାକା ଦେଖାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଉଦ୍‌ଘାଯନ କରିଥିଲେ। ଓଡ଼ିଶା ଭାଷା, ସଂସ୍କୃତି ଓ ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଏହି ବିତରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ୧୦ ହଜାର ପୁସ୍ତକ ନେଇ ଯାତ୍ରା କରୁଥିବା ଏହି ଗାଡ଼ିଟି ବିଭିନ୍ନ ଜିଲାରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ବିତରଣ କରି ବୁଧବାର ଷଢ଼େଇକଳା ଓ ଖରସୁଆଁରେ ପହଞ୍ଚତ୍ବ। ଷଢ଼େଇକଳା ଓ ଖରସୁଆଁରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକମାନଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସଂସ୍କୃତିସମ୍ପନ୍ନ ପୁସ୍ତକ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦକ ଡ.ଲେନିନ୍‌ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।