ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ପଦ୍ମପୁର,୭।୧୧(ଡି.ଏନ.ଏ.):ଢେଙ୍କାନାଳ ଜେଲରେ ବିଚାରାଧୀନ ବନ୍ଦୀ ଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବ୍ରାହ୍ମଣୀଗଁା ପଞ୍ଚାୟତର ନିରଞ୍ଜନ ପାଣିଙ୍କ ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଲୋକେ ଭଦ୍ରକ-ବାସୁଦେବପୁରର ଚନ୍ଦିଆ ଛକଠାରେ ମୃତଦେହ ରଖି ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ପ୍ରକାଶ ଯେ, କୌଣସି ଅପରାଧରେ ସମ୍ପୃକ୍ତ ଥିବା ନେଇ ଢେଙ୍କାନାଳ ଜିଲାର ଗଁଦିଆ ପୋଲିସ ଗତ ଅକ୍ଟୋବରରେ ନିରଞ୍ଜନଙ୍କୁ ଗିରଫ କରିଥିଲା। ବିଚାରାଧୀନ ବନ୍ଦୀ ଭାବେ ନିରଞ୍ଜନ ଢେଙ୍କାନାଳ ଜେଲରେ ଥିଲେ। ଗତ ୨ ତାରିଖରେ ଶାରୀରିକ ଅସୁସ୍ଥତା ଯୋଗୁ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ ଦିନ ତଳେ ତାଙ୍କର ମୃତ୍ୟୁ ଘଟିଛି। ରବିବାର ସନ୍ଧ୍ୟାରେ ତାଙ୍କ ମୃତଦେହ ଆମ୍ବୁଲାନ୍ସରେ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କିପରି ଓ କେଉଁ ପରିସ୍ଥିତିରେ ନିରଞ୍ଜନଙ୍କ ମୃତ୍ୟୁ ଘଟିଛି ଏବଂ ୩ ଦିନ ପରେ ମୃତଦେହ ହସ୍ତାନ୍ତର ନେଇ ତଦନ୍ତ କରାଯିବାକୁ ତାଙ୍କ ପରିବାର ଲୋକେ ଦାବି କରିଛନ୍ତି। ବାସୁଦେବପୁର ଥାନାଧିକାରୀ ସାବିତ୍ରୀ ପଣ୍ଡା ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏସ୍‌ପି ଚରଣ ସିଂ ମୀନାଙ୍କ ସହ ଫୋନ ଯୋଗେ କଥା ହୋଇ ଘଟଣାର ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକୋ ହଟିଥିଲା।