Categories: ଗଞ୍ଜାମ

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଆସିକା,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ସବ୍‌ଜେଲରେ ଶୁକ୍ରବାର ସକାଳେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି ା ସେ ହେଲେ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ଡାକ୍ତର ସାହୁ ଓରଫ ଡାକ (୩୪) ା ବାଦଗଡ଼ର ବାବୁ ପ୍ରଧାନଙ୍କୁ ଗତ ଅକ୍ଟୋବର ମାସରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଡାକ ଓ ତାଙ୍କର ୩ ଭାଇ ଗିରଫ ହୋଇ ଗତ ୨୯ ତାରିଖରୁ ଆସିକା ସବ୍‌ ଜେଲରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ସବ୍‌ଜେଲର ୩ ନମ୍ବର ସେଲ୍‌ରେ ଏମାନେ ଥିଲେ ା ଶୁକ୍ରବାର ସକାଳ ୬ଟାରେ ଉକ୍ତ ସେଲ୍‌ର ଫାଟକ ଖୋଲାଯାଇଥିଲା ା ସମସ୍ତ କଏଦୀ ବାହାରକୁ ଆସିଥିବା ବେଳେ ଡାକ ନିଶ୍ଚେତ ଅବସ୍ଥାରେ ପଡ଼ି ରହିଥିଲେ ା ଜେଲ କର୍ତ୍ତୃପକ୍ଷ ତାଙ୍କୁ ଆସିକା ଡାକ୍ତରଖାନାକୁ ନେଇଥିଲେ ା ସେଠାରେ ଡାକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା
ଖବରପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଡାକ୍ତରଖାନାରେ ପହଞ୍ଚିଥିଲେ। କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଆଶୁତୋଷ ଗୌରବ କରଙ୍କ ଉପସ୍ଥିତିରେ ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା। ଏ ନେଇ ଆସିକା ଥାନାରେ ନଂ.୨୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ା ପୂର୍ବରୁ ଶାରୀରିକ ଅସୁସ୍ଥତା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷଙ୍କୁ ଡାକ କୌଣସି ସୂଚନା ଦେଇ ନ ଥିଲେ ବୋଲି ଆସିକା ସବ୍‌ଜେଲ ଅଧୀକ୍ଷକ ଚିତ୍ତରଞ୍ଜନ ସାହୁ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ା