ବିଏସ୍‌ଏନ୍‌ଏଲ୍‌ ଟେଲିଫୋନ ଭବନରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୧ା୯: କଟକ ବଜ୍ରକବାଟୀ ରୋଡ୍‌ସ୍ଥିତ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଭବନରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୋଟିଏ ଟଙ୍କାର ଯନ୍ତ୍ରାଂଶ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁ କଟକ, ଯାଜପୁର, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ବିଏସ୍‌ଏନ୍‌ଏଲ୍‌ ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏ ନେଇ ବିଏସ୍‌ଏନ୍‌ଏଲ୍‌ ସାଧାରଣ ପରିଚାଳକ ହରିଶ ଚନ୍ଦ୍ର ମହାନ୍ତି କହିଛନ୍ତି, ଶର୍ଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଯୋଗୁ ଲ୍ୟାଣ୍ଡ ଲାଇନ୍‌, ଏଫ୍‌ଟିଏଚ୍‌, ବ୍ରଡବ୍ୟାଣ୍ଡ ଓ ମୋବାଇଲ ସେବା ବନ୍ଦ କରାଯାଇଛି। ସମସ୍ତ କେବୁଲ ପୋଡି ଯାଇଥିବାରୁ ଲ୍ୟାଣ୍ଡଲାଇନ୍‌ ଉପଭୋକ୍ତା ୧୫ଦିନରୁ ଅଧିକ ସେବା ପାଇବାରୁ ବଞ୍ଚିତ ହେବେ। ୨ରୁ ୩ ଦିନ ଭିତରେ ମୋବାଇଲ ଓ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବାକୁ ଆମେ ଯଥାସାଧ୍ୟ ଚେଷ୍ଟା କରୁଛୁ।
ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢେ ୧୨ଟାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ କୋଠାର ତୃତୀୟ ମହଲାରେ ଥିବା ସିଭି ପ୍ରକୋଷ୍ଠରେ ନିଅଁା ଲାଗିଯାଇଥିଲା। ପ୍ରକୋଷ୍ଠରୁ ଧୂଅଁା ବାହାରୁଥିବା ଦେଖି କେତେଜଣ କର୍ମଚାରୀ ସେଠାକୁ ଆସିଥିଲେ। ନିଅଁାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। କେବୁଲରେ ନିଅଁା ସଂଯୋଗ ହୋଇଯିବା ଫଳରେ ଏହା ଖୁବ୍‌ଶୀଘ୍ର ବ୍ୟାପି ଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗର ୭ଟି ଟିମ୍‌ ପହଞ୍ଚିଥିଲେ। ପ୍ରାୟ ୪ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଅଁାକୁ ଆୟତ୍ତ କରିଥିଲେ। ଷ୍ଟ୍ରାଇକିଂ ଫୋର୍ସ ଓ ଅଗ୍ନିଶମ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୫୦ଜଣ ନିଅଁା ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅନ୍ୟପକ୍ଷରେ ଖବର ସଂଗ୍ରହ କରୁଥିବାବେଳେ ୩ଜଣ ଖବରଦାତା ଆହତ ହୋଇଛନ୍ତି। ନିଅଁା ଲାଗିଥିବା ପ୍ରକୋଷ୍ଠର ଝରକା କାଚ ଖବରଦାତାଙ୍କ ଉପରେ ଖସି ପଡ଼ିଥିଲା। ପ୍ରାଥମିକ ଚିକିତ୍ସା ପାଇଁ ସେମାନଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି।