Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଉଦ୍ୟମ

ନୂଆଦିଲ୍ଲୀ,୩୧-୭: କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏବଂ ମହାନଗର ଟେଲିକମ୍‌ ନିଗମ ଲିିମିଟେଡ(ଏମ୍‌ଟିଏନ୍‌ଏଲ୍‌)କୁ ମିଶାଇ ଦେବା ଲାଗି ଉଦ୍ୟମ କରୁଛନ୍ତି। ଟେଲିକମ ବିଭାଗ(ଡିଓଟି) ଏ ସମ୍ପର୍କରେ ଆଗତ ପ୍ରସ୍ତାବକୁ ବିଚାର କରୁଛି। ତେବେ ଶେଷ ନିଷ୍ପତ୍ତି କେନ୍ଦ୍ର କ୍ୟାବିନେଟ ନେବ ବୋଲି ଜଣେ ଅଧିକାରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଉକ୍ତ ଦୁଇ ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀର କ୍ଷତି ବଢ଼ି ବଢ଼ି ଚାଲିଥିବା ବେଳେ ଏହା ନିଜର କର୍ମଚାରୀଙ୍କୁ ଠିକ୍‌ ସମୟରେ ଦରମା ଦେଇପାରୁ ନାହିଁ। ଅଧିକାରୀଙ୍କ କହିବାନୁଯାୟୀ ଟେଲିକମ୍‌ ବିଭାଗ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲର ରିଭାଇବାଲ ବା ପୁନରୁଜ୍ଜୀବନ ପ୍ରକ୍ରିୟା ନେଇ ମଧ୍ୟ ବିଚାର କରୁଛି। ତେବେ ଏହାଦ୍ୱାରା ଉକ୍ତ ଦୁଇ କମ୍ପାନୀ ନିଜ ଅସ୍ତିତ୍ୱ ରକ୍ଷା କରିବାକୁ ଅକ୍ଷମ। ଏହି କାରଣରୁ ଦୁଇ କମ୍ପାନୀକୁ ମିଶାଇ ଦେବାକୁ ସରକାର ବିଚାର କରୁଛନ୍ତି। ତେବେ ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ର ମନ୍ତ୍ରିମଣ୍ଡଳ ନେବେ। ଟେଲିକମ୍‌ ବିଭାଗ ପକ୍ଷରୁ ଉକ୍ତ ଦୁଇ କମ୍ପାନୀର ଖର୍ଚ୍ଚକୁ କମାଇବା ସହ ଆୟ ବଢ଼ାଇବା ଲାଗି ଯୋଜନା ପ୍ରସ୍ତୁତ କରିଛି। କର୍ମଚାରୀଙ୍କୁ ଭିଆର୍‌ଏସ ପ୍ରଦାନ କରି ଖର୍ଚ୍ଚ କମାଇବା ସହ ସମ୍ପତ୍ତିକୁ ଲିଜ୍‌ରେ ଦେଇ ତଥା ୪ଜି ସ୍ପେକ୍ଟ୍ରମ ଆବଣ୍ଟନ ମାଧ୍ୟମରେ ଆୟ ବଢ଼ାଇବାକୁ ଉଦ୍ୟମ କରାଯିବ। ଚଳିତବର୍ଷ ଏପ୍ରିଲ ପହିଲା ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ର ମୋଟ ସମ୍ପତ୍ତି ୩୪,୨୭୬ କୋଟି(ବିନା ଅଡିଟ) ଥିବା ବେଳେ ଏମ୍‌ଟିଏନ୍‌ଏଲ୍‌ର ସମ୍ପତ୍ତି ମୂଲ୍ୟ ୯୭୩୫ କୋଟି ଟଙ୍କା ରହିଛି।

Share