ବିଏମ୍‌ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍‌ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ ରାସ୍ତାଗୁଡ଼ିକୁ ଛାଡ଼ିଦେଲେ ଅନ୍ୟ ରାସ୍ତାରେ ଲଗାଯାଇଥିବା ଷ୍ଟ୍ରିଟଲାଇଟ୍‌ଗୁଡ଼ିକ ଜଳୁନାହିଁ। ଏ ନେଇ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏକ ସମୀକ୍ଷା କରାଯାଇଛି। ବିଏମ୍‌ସି କମିଶନର ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଏମ୍‌ସିର ବହୁ ଉଚ୍ଚପଦସ୍ଥ ଅଧିକାରୀ ଓ ବିଭିନ୍ନ ବିଭାଗୀୟ ଇଞ୍ଜିନିୟର ଉପସ୍ଥିତ ରହି ବିନା ଷ୍ଟ୍ରିଟଲାଇଟ୍‌ରେ ଉପୁଜୁଥିବା ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ କେତେ ଷ୍ଟ୍ରିଟଲାଇଟ୍‌ ଭାଙ୍ଗିଛି ଓ ସେଗୁଡ଼ିକୁ କିପରି ସ୍ବାଭାବିକ କରାଯିବ, ସେ ନେଇ ଆଲୋଚନା କରାଯିବା ପରେ ଆସନ୍ତା ସୋମବାର ସୁଦ୍ଧା ସହର ସମସ୍ତ ଷ୍ଟ୍ରିଟଲାଇଟ୍‌ ଜଳିବ ବୋଲି ନିଷ୍ପତ୍ତି ହୋଇଛି। ଭୁବନେଶ୍ୱରରେ କେତେ ଷ୍ଟ୍ରିଟଲାଇଟ୍‌ କ୍ଷତିଗ୍ରସ୍ତ ହୋଇଛି, ତାହାର ଆକଳନ ନିମନ୍ତେ ବିଏମ୍‌ସି ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସୋମବାର ମଧ୍ୟରେ ସମସ୍ତ ଷ୍ଟ୍ରିଟଲାଇଟ୍‌ ଜଳାଇବା ଲାଗି ୧୪ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଟିମ୍‌ ସହ ୪ ଜୁନିୟର ଇଞ୍ଜିନିୟର ଓ ୮ ଟେକ୍ନିସିଆନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଭୁବନେଶ୍ୱରରେ ମୋଟ ୫୦ହଜାର ଷ୍ଟ୍ରିଟଲାଇଟ୍‌ ଖୁଣ୍ଟରେ ଲାଗିଥିବା ୬୦ହଜାର ଏଲ୍‌ଇଡି ଲାଇଟ୍‌ର ୭୦% ଅକ୍ଷୁଣ୍ଣ ଥିବାବେଳେ ୩୦% କ୍ଷତିଗ୍ରସ୍ତ ହୋଇଛି ଏବଂ ୧୫ଶହ ଖୁଣ୍ଟ ଭାଙ୍ଗିଛି। ଏଥିମଧ୍ୟରେ ସେସୁ ଓ ବିଏମ୍‌ସିର ୪୦ହଜାର ଖୁଣ୍ଟ ଥିବାବେଳେ ୧୦ହଜାର ମଧ୍ୟବର୍ତ୍ତୀ(ମେଡିଆନ) ଖୁଣ୍ଟ ରହିଛି। ସ୍ଥିତିରେ ଶୀଘ୍ର ସୁଧାର ଆଣିବା ଲାଗି ବିଏମ୍‌ସି ପକ୍ଷରୁ ଘରୋଇ ଇଞ୍ଜିନିୟରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ପ୍ରଥମ ସହର ଭାବେ ଭୁବନେଶ୍ୱରରେ ଏଲ୍‌ଇଡି ଷ୍ଟ୍ରିଟଲାଇଟ୍‌ ଜଳିଥିଲା। ତା’ପରେ ଅନ୍ୟ ସହରଗୁଡ଼ିକରେ ଜଳିଥିଲା। ଏହା କେବଳ ଉଜ୍ଜ୍ୱଳ ଆଲୋକ ଲାଗି ଲଗାଯାଇନାହିଁ, ବରଂ ସହରର ସୌନ୍ଦର୍ଯ୍ୟ ମଧ୍ୟ ଏଥିରେ ବୃଦ୍ଧି ପାଉଛି।