ବିଏମ୍‌ସିର ସୂଚନା: ରାଜଧାନୀରେ ପୁଣି ୧୭ କରୋନା ପଜିଟିଭ୍‌ ଚିହ୍ନଟ; ଅଛନ୍ତି ୭ ରେଳ ବିଭାଗ ଅଧିକାରୀ

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜଧାନୀରୁ ୧୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪ ହୋମ୍‌ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୩ ଲୋକାଲ କେସ୍‌ ରହିଛି। ସେହିଭଳି ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବୁଧବାର ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ନୂତନ ହୋମ୍‌ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୭ଜଣ ରେଳ ବିଭାଗ ଅଧିକାରୀ(୩୬, ୪୦, ୩୧, ୪୦, ୩୫, ୩୬,୩୬ ବର୍ଷ)ର ଅଛନ୍ତି। ସେମାନଙ୍କର ଦିଲ୍ଲୀ ଗସ୍ତ ନେଇ ସୂଚନା ରହିଛି। ଏହାଛଡ଼ା ବିମାନବନ୍ଦର ନିକଟ ଭୀମପୁରର ୨ଜଣ(୩୪ ବର୍ଷ ପୁରୁଷ, ୬୨ ବର୍ଷୀୟ ବୃଦ୍ଧା, ମା’ ଶକ୍ତି ହସ୍ପିଟାଲ ନିକଟ ଭୀମପୁରର ଜଣେ ୬୪ ବର୍ଷୀୟ ବୃଦ୍ଧ, ଡୁମ୍‌ଡୁମା ହାଉସିଂ ବୋର୍ଡ କଲୋନୀର ଜଣେ ୨୫ ବର୍ଷୀୟ ଯୁବକ, ନୟାପଲ୍ଲର ଶବର ସାହିର ୨ଜଣ(୨୦ ବର୍ଷୀୟା ଯୁବତୀ, ୧୫ ବର୍ଷୀୟା ଯୁବକ), ପେଡ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ୨୪ ବର୍ଷୀୟା ଯୁବତୀ ଅଛନ୍ତି।
ସେହିଭଳି ୩ ଲୋକାଲ୍‌ କେସ୍‌ ମଧ୍ୟରେ ପୁରୀ କେନାଲ ରୋଡ ନିକଟ ନହରକଣ୍ଟାରୁ ଜଣେ ୨୭ ବର୍ଷୀୟ ଯୁବକ, କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଜଣେ ୩୨ ବର୍ଷୀୟ କର୍ମଚାରୀ, ଜୟଦେବ ବିହାର ଶରଣପଲ୍ଲୀ ଅଞ୍ଚଳର ତଥା ବେସରକାରୀ ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ୩୭ ବର୍ଷୀୟ ମହିଳା ଅଛନ୍ତି।

ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଏବେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪୯ରେ ପହଞ୍ଚିଛି। ସେଥିରୁ ୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୪ ଆକ୍ଟିଭ୍‌ କେସ ରହିଛି। ୩ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି।