Categories: ଗଞ୍ଜାମ

ବିଇଓଙ୍କ ବଦଳି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଶେରଗଡ,୨୧ା୭(ଡି.ଏନ.ଏ.)-ଶେରଗଡ ବ୍ଲକ ମିଳିତ ଶିକ୍ଷକ ସଂଘର ଏକ ବୈଠକ ଶନିବାର ସ୍ଥାନୀୟ ଜୟଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଇଓ ଭାସ୍କର ଲେଙ୍କା ଛଦ୍ମବେଶରେ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକଙ୍କୁ ହଇରାଣ କରୁଥିବାରୁ ତୁରନ୍ତ ତାଙ୍କୁ ଜିଲା ବାହାରକୁ ବଦଳି କରିବାକୁ ଦାବି ଜୋର ଧରିଛି। ୭ଦିନ ମଧ୍ୟରେ ବଦଳି ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ବିଇଓଙ୍କ ୧୨ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଗଞ୍ଜାମ ଜିଲାପାଳ, ଭଞ୍ଜନଗର ଉପଜିଲାପାଳ, ଶେରଗଡ ବିଡିଓ ଓ ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ବିଇଓ ୩ଦିନ ଅଫିସରେ ରହି ଅନ୍ୟ ୩ଦିନ ତାଙ୍କ ଘର ଖୋର୍ଦ୍ଧାରେ ରହୁଛନ୍ତି, ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଛୁଟି ଦେବାରେ ହଇରାଣ କରିବା, ଛୁଟି ନେଲେ କୈଫିୟତ ତଲବ କରିବା, ପରିଦର୍ଶନ ବେଳେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ନାଲିଆଖି ଦେଖାଇବା ଆଦି ଉଲ୍ଲେଖ ରହିଛି। ସରକାରଙ୍କ ନିୟମ ଅନୁଯାୟୀ, ଦଣ୍ଡମୁକ୍ତ ଓ ଭୟମୁକ୍ତ ଅଞ୍ଚଳ ବିଦ୍ୟାଳୟ ପରିସରରେ କିପରି ବିଇଓ ଛଦ୍ମବେଶରେ ପଶିଲେ, ତାହା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ ସଂଚାର କଲା ବୋଲି ଅଭିଯୋଗ କରିଛନ୍ତି।
ନେଇ ବିଇଓ ଲେଙ୍କାଙ୍କୁ ପଚାରିବାରୁ, ମୋ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ। ମୁଁ ଏହାର ବିଧିବଦ୍ଧ ତଦନ୍ତ ଦାବି କରୁଛି। ବିଦ୍ୟାଳୟକୁ ଠିକ୍‌ ସମୟରେ ଶିକ୍ଷକ ଆସୁ ନ ଥିବାରୁ ପରିଦର୍ଶନରେ ଯାଇଥିଲି। ବ୍ୟବସ୍ଥାରେ ସୁଧାର ଆଣିବା ମୋ ଲକ୍ଷ୍ୟ ବୋଲି କହିଛନ୍ତି। ମୁଁ କୌଣସି କାମ ପାଇଁ କେବେ ଅର୍ଥ ଦାବି କରିନାହିଁ, ବରଂ ବିଭିନ୍ନ ଅନୁଷ୍ଠାନକୁ ପକେଟରୁ ଅର୍ଥ ପ୍ରଦାନ କରିଛି ଯାହା ତଦନ୍ତ କଲେ ସ୍ପଷ୍ଟ ହେବ ବୋଲି କହିଛନ୍ତି।