Categories: ଜାତୀୟ

ବାୟୁ ପ୍ରଦୂଷଣ ରୋକିବାରେ ସରକାର ବିଫଳ: କେନ୍ଦ୍ର, ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୭ା୧୧(ପି.ଟି.): ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଉତ୍କଟ ବାୟୁ ପ୍ରଦୂଷଣ ରୋକିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ନଡ଼ା ନ ପୋଡିବା ଲାଗି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭ ଦିନ ମଧ୍ୟରେ କୁଇଣ୍ଟାଲ ପିଛା ୧୦୦ ଟଙ୍କା ଲେଖାଏ ଆର୍ଥତ୍କ ସହାୟତା ଯୋଗାଇଦେବାକୁ ଅଦାଲତ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଦେଶ ଅର୍ଥନୀତିର ମେରୁଦଣ୍ଡ ହୋଇଥିବାରୁ କୃଷକମାନଙ୍କ ସ୍ବାର୍ଥକୁ ଦେଖିବା ରାଜ୍ୟର ଦାୟିତ୍ୱ ବୋଲି ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଏଥିସହିତ ନଡ଼ା ପୋଡ଼ି ବନ୍ଦ କରିବା ଲାଗି ଚାଷୀଙ୍କୁ ଆବଶ୍ୟକ ଯନ୍ତ୍ରପାତି ଯୋଗାଇଦିଆଯିବା ଆବଶ୍ୟକ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ପରିବେଶର ଯତ୍ନ ନେବା ଲାଗି ୩ ମାସ ମଧ୍ୟରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ଅଦାଲତ କେନ୍ଦ୍ର ସରକାରଙ୍କ ସମେତ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ବାୟୁ ପ୍ରଦୂଷଣ ପାଇଁ ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ଦାୟୀ କରିଥିଲେ। ନଡ଼ା ପୋଡ଼ି ବନ୍ଦ କରିବା ଲାଗି କ’ଣ ପାଇଁ ସରକାର ଆବଶ୍ୟକ ଯନ୍ତ୍ରପାତି ଯୋଗାଇନାହାନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଯଦି ସରକାର ଲୋକଙ୍କ ପାଇଁ ଚିନ୍ତା କରୁନାହାନ୍ତି ତେବେ ସେମାନଙ୍କର କ୍ଷମତାରେ ରହିବାର ଅଧିକାର ନାହିଁ। ଜନମଙ୍ଗଳ ସରକାରଙ୍କ ସଙ୍କଳ୍ପକୁ ରାଜ୍ୟଗୁଡିକ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି ଅଦାଲତ କହିଥିଲେ। ଆପଣମାନେ କେବଳ ଶାସନ କ୍ଷମତାରେ ରହିବାକୁ ଚାହୁଁଛନ୍ତି, ଅଥଚ ଲୋକଙ୍କ ପାଇଁ ଚିନ୍ତା ନ କରି ସେମାନଙ୍କୁ ମରିବାକୁ ଛାଡିଦେଉଛନ୍ତି ବୋଲି ଖଣ୍ଡପୀଠ ସରକାରଙ୍କୁ ଭର୍ତ୍ସନା କରିଥିଲେ।

Share