Categories: ଗଞ୍ଜାମ

ବାହୁଦା ନଦୀରେ ମିଶିଯିବ ବଜ୍ରଗୁମ୍ମା ଗାଁ

ଦିଗପହଣ୍ଡି, ୨୧ା୧୧ (ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ୱାର୍ଡ ନଂ. ୧୨ ଅଧୀନ ବଜ୍ରଗୁମ୍ମା ଗାଁ ବନ୍ୟା ସମୟରେ ବାହୁଦା ନଦୀ ଗର୍ଭରେ ସମ୍ପୂର୍ଣ୍ଣ ବି ଲୀନ ହେବାର ଆଶଙ୍କା ରହିଛି। ଏଥି ସହ ଆଖପାଖ ଅଞ୍ଚଳରେ ଥିବା ନଦୀ ତଟବର୍ତ୍ତି ଢ଼େପାପେଣ୍ଠ, ପୁହୁଣ୍ଡି, ସମାସିଙ୍ଗି ଶାସନ ଗାଁର ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି। ବଜ୍ରଗୁମ୍ମା ଗାଁ ନିକଟ ବାହୁଦା ନଦୀ ପଠାରେ ଦୀର୍ଘ ବର୍ଷ ହେଲା ବହୁ ପରିମାଣରେ ବେଆଇନ ବାଲି ଉତ୍ତୋଳନ କରାଯାଉଥିବାରୁ ବନ୍ୟା ସମୟରେ ବନ୍ୟାଜଳ ଆସି ବଜ୍ରଗୁମ୍ମା ଗାଁକୁ ଧୋଇନେବ। ଗତ ବନ୍ୟାରେ ନଦୀବନ୍ଧ ଖାଇଯାଇଛି। ଫଳରେ ଗ୍ରାମର ଗଣେଶ ସାହୁ, ପ୍ରମୋଦ ସାହୁ, ଅଭି ସାହୁ, ପର୍ଶୁ ସାହୁ, ଚନ୍ଦ୍ରମଣି ସାହୁ, ବୁଲୁ ସାହୁ ପ୍ରମୁଖଙ୍କ ଘରକୁ ବନ୍ୟାଜଳ ମାଡ଼ କରିଥିଲା। ଅଳ୍ପକେ ବାସଗୃହ ଗୁଡିକ ରକ୍ଷା ପାଇଯାଇଥିଲା। ଗ୍ରାମର ରବୀନ୍ଦ୍ର ଗୌଡ, ରଘୁନାଥ ଗୌଡ, ବାରିକ ଗୌଡ, ଉଜ୍ଜଳ ଗୌଡ, ଗଣେଶ ଗୌଡ, କୁରେଶୁ ଅଧିକାରୀ, ସୀମାଞ୍ଚଳ ଚୌଧୁରୀଙ୍କ ପ୍ରାୟ ୨ ଏକର ଚାଷ ଜମି ଅଦ୍ୟାବଧି ନଦୀ ଗର୍ଭକୁ ଚାଲିଗଲାଣି। ପ୍ରତିବର୍ଷ ବନ୍ୟାରେ ଚାଷ ଜମିରେ ବାଲି ମାଡିଯାଇ ଫସଲ କ୍ଷତିଗ୍ରସ୍ତ ହେଉଛି। ଗତ ଅକ୍ଟୋବର ୨୬ ତାରିଖରେ ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁ, ବିଡ଼ିଓ ହଳଧର ଶବର ବଜ୍ରଗୁମ୍ମା ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହ ଏ ନେଇ ଆଲୋଚନା କରି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ପ୍ରଶାସନ ପକ୍ଷରୁ ଏନେଇ ପଦକ୍ଷେପ ନେବାକୁ ପୂର୍ବତନ ସରପଞ୍ଚ ରଘୁନାଥ ପାତ୍ର, ନାଏବ ସରପଞ୍ଚ ରିଲୁ ଅଧିକାରୀ, ସାମାଜିକ କର୍ମୀ ରାଜ କୁମାର ମିଶ୍ର, ଡାକ ସାହୁ, ସୀମାଞ୍ଚଳ ସାହୁ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।