ବାହାର ଲୋକଙ୍କ ପୁରୀ ପ୍ରବେଶରେ କଟକଣା: ଆଜିଠୁ ପିପିଲିରେ ଯାଞ୍ଚ

ପୁରୀ ଅଫିସ,୧୬।୩: ପୁରୀକୁ ପ୍ରତ୍ୟହ ଦେଶ, ବିଦେଶର ବହୁ ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ବର୍ତ୍ତମାନ କରୋନା ଯେଉଁଭଳି ମାଡ଼ି ଚାଲିଛି ସେଥିପାଇଁ ସତର୍କ ହୋଇଛି ଜିଲା ପ୍ରଶାସନ। ଶନିବାର ଜିଲାପାଳ ବଲୱନ୍ତ ସିଂ ଆବଶ୍ୟକ ନ ଥିଲେ ପୁରୀ ନ ଆସିବା ଲାଗି ବାହାର ଲୋକଙ୍କୁ ନିବେଦନ କରିଥିଲେ। ରବିବାର ଜିଲାବାସୀଙ୍କୁ ବାଦ୍‌ ଦେଇ ବାହାରୁ ଆସୁଥିବା ଯାତ୍ରୀ, ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ପୁରୀ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଅର୍ଥାତ୍‌ ସୋମବାରଠାରୁ ଜିଲା ପ୍ରବେଶ ପଥ ପିପିଲିଠାରେ ଯାଞ୍ଚ ହେବ ବୋଲି ଜିଲାପାଳ କହିଛନ୍ତି। ଜିଲାପାଳ ସିଂଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ପିପିଲି ନିକଟରେ ବାହାର ଗାଡ଼ି ଏବଂ ଲୋକଙ୍କୁ ଯାଞ୍ଚ କରାଯିବ। ଏହି ସମୟରେ ପରିବହନ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ସମସ୍ତେ ଉପସ୍ଥିତ ରହିବେ। ସେମାନେ ପୁରୀକୁ କାହିଁକି ଆସୁଛନ୍ତି, ତାଙ୍କ ଆସିବା ଜରୁରୀ କି ନାହିଁ ସେ ସବୁର ତର୍ଜମା କରାଯାଇ ତାଙ୍କୁ ପ୍ରବେଶ ଅନୁମତି ଦିଆଯିବ। ମାତ୍ର ଯଦି କାହାର ଥଣ୍ଡା, କାଶ, ଜ୍ୱର ହେଉଥିବ ସେମାନଙ୍କୁ ଫେରାଇ ଦିଆଯିବ । ସେହିପରି ଜିଲାବାସୀଙ୍କ ମଧ୍ୟରୁ ଯଦି କାହାର କିଛି ଅତ୍ୟାବଶ୍ୟକ କାମ ପଡୁଛି ସେମାନେ ବାହାରକୁ ଯାଆନ୍ତୁ। ଯଦି କେହି କରୋନା ଆକ୍ରାନ୍ତ ଦେଶରୁ ଆସିଛନ୍ତି ବା ବିଦେଶୀ ଆସୁଛନ୍ତି ତାଙ୍କ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇବା ଲାଗି ଜିଲାପାଳ ସିଂ ଜିଲାବାସୀଙ୍କୁ ନିବେଦନ କରିଛନ୍ତି।