ବାହାର ରାଜ୍ୟରୁ ସହାୟତା ପାଇଁ ଆସିଛି ୪,୭୦୦ କଲ୍‌:ଅସ୍ଥାୟୀ ଶିବିରରେ ରହିଛନ୍ତି ୧୮ହଜାର ଅଣଓଡ଼ିଆ ଶ୍ରମଜୀବୀ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)- ଲକ୍‌ଡାଉନ୍‌ରେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଭୁବନେଶ୍ୱରରେ ୨୦ ଲାଇନ୍‌ ବିଶିଷ୍ଟ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏହି କଣ୍ଟ୍ରୋଲରୁମ୍‌ ସହ ଯୋଗାଯୋଗ ପାଇଁ ହେଲ୍ପଲାଇନ ନଂ.୦୬୭୪-୨୩୯୨୧୧୫ ଓ ହ୍ବାଟସ୍‌ଆପ୍‌ ନଂ.୯୪୩୮୯୧୫୯୮୬ ରହିଛି। ପ୍ରତିଟି କଲ୍‌କୁ ବିଧିବଦ୍ଧ ଭାବେ ପଞ୍ଜୀକରଣ କରାଯିବା ପରେ ସମ୍ପୃକ୍ତ ରାଜ୍ୟ ଦାୟିତ୍ୱରେ ଥିବା ଅଧିକାରଙ୍କ ସହ ସଂଯୋଗ କରାଯାଉଛି। ଏ ପର୍ଯ୍ୟନ୍ତ ୪,୭୦୦ କଲ୍‌ ଆସିଛି ଏବଂ ୧ଲକ୍ଷ ୨୦ହଜାର ଲୋକଙ୍କ ସହାୟତା ନିମନ୍ତେ ଯୋଗାଯୋଗ କରାଯାଇଛି। ଅଧିକାଂଶ କଲ୍‌ ଗୁଜରାଟ, ତାମିଲନାଡ଼ୁ, କର୍ନାଟକ, କେରଳ, ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନାରୁ ଆସିଛି। ତେବେ ଗୋଷ୍ଠୀଗତ ଭାବେ ଗୋଟିଏ ସ୍ଥାନରେ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଫସି ରହି ଉଦ୍ଧାର ପାଇଁ ୨ଶହଟି କଲ୍‌ ଆସିଛି। ଏମାନଙ୍କୁ ସବୁ ପ୍ରକାର ସହାୟତା ରାଜ୍ୟ ସରକାରଙ୍କ ଜରିଆରେ ଯୋଗାଇ ଦିଆଯାଇଛି ବୋଲି କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମଜୀବୀମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଅତିଥି ଭାବେ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ରହିବା ଏବଂ ଖାଦ୍ୟପେୟ ପାଇଁ ଅସ୍ଥାୟୀ ଶିବିର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୨ଟି ଅସ୍ଥାୟୀ ଶିବିରରେ ପ୍ରାୟ ୧୮ହଜାର ଶ୍ରମଜୀବୀଙ୍କୁ ଆଶ୍ରୟ ଦିଆଯାଇଛି। ସେମାନଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ୧୮୦୦୩୪୫୬୭୦୩ କାର୍ଯ୍ୟ କରୁଛି। ଏକାଧିକ କମ୍ପାନୀ ଓ ଜିଲା ପ୍ରଶାସନ ତରଫରୁ ଏମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟର ଶ୍ରମିକମାନେ ଆମ ରାଜ୍ୟ ପାଇଁ ଅତିଥି। ସେମାନଙ୍କ ସୁରକ୍ଷା ପାଇଁ ଆମେ ପ୍ରତିବଦ୍ଧ।