ବାହାରେ ଫସିଥିବା ଶ୍ରମିକଙ୍କ ପରିବାରକୁ ସହାୟତା ଦିଆଯାଉ: ଶ୍ରୀକାନ୍ତ ଜେନା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଦେଶର ବିଭିନ୍ନ ସ୍ଥାନରେ ଓଡ଼ିଆ ଶ୍ରମିକ ଫସି ରହିଛନ୍ତି। ରେଳ ଚଳାଚଳ ଏବଂ ବେସରକାରୀ ପରିବହନ ବନ୍ଦ ରହିଥିବାରୁ ସେମାନେ ବର୍ତ୍ତମାନ ରାଜ୍ୟକୁ ଫେରିବା ସମ୍ଭବ ନୁହେଁ। ସେମାନେ କରୁଥିବା ରୋଜଗାର ଦ୍ୱାରା ତାଙ୍କ ପରିବାରର ପ୍ରତିପୋଷଣ ହୋଇଥାଏ, ତେଣୁ ସରକାର ରାଜ୍ୟ ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଗୁରୁବାର କହିଛନ୍ତି।
ଏ ନେଇ ଶ୍ରୀକାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠି ମାଧ୍ୟମରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ସର୍ବନିମ୍ନ ୫୦୦୦ ଟଙ୍କା ଶ୍ରମିକଙ୍କ ପରିବାରକୁ ପ୍ରଦାନ କରନ୍ତୁ। ଏହାଦ୍ୱାରା ଅନେକାଂଶରେ ସେହି ପରିବାରଗୁଡିକ ଉପରୁ ଆର୍ଥିକ ବୋଝ ହ୍ରାସ ପାଇବ। ରାଜ୍ୟ ସରକାର ରାଶନ କାର୍ଡଧାରୀଙ୍କୁ ଚାଉଳ, ଡାଲି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ, ସେହିପରି ରାଶନ କାର୍ଡ ନ ଥାଇ ମଧ୍ୟ ଅନେକ ଯୋଗ୍ୟ ଲୋକ ରାଜ୍ୟରେ ରହିଛନ୍ତି। ତେଣୁ ସ୍ବାୟତ୍ତ ଶାସନ ପଦ୍ଧତିରେ ତାଙ୍କୁ ଚିହ୍ନଟ କରି ତୁରନ୍ତ ୩ ମାସର ସହାୟତା ପ୍ରଦାନ କରିବାକୁ ଶ୍ରୀକାନ୍ତ କହିଛନ୍ତି। ଅନୁରୂପ ଭାବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଯଥାସମ୍ଭବ ସର୍ବାଧିକ ନମୁନା ପରୀକ୍ଷା କରିବାର ଆବଶ୍ୟକତା ରହିଛି। ଯେତେ ଅଧିକ ପରୀକ୍ଷା ହେବ, ରାଜ୍ୟରେ କରୋନାର ସ୍ଥିତି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଅତି ଜରୁରୀ ପରିସ୍ଥିତିରେ ରୋଗୀକୁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ କେତେ ଭେଣ୍ଟିଲେଟର ରହିଛି, ତାହା ସରକାର ଜଣାନ୍ତୁ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି।