ବାସୁଦେବପୁର ଡାକ୍ତରଖାନାରେ ଲାଗିଲା ସାନିଟାଇଜର ମେଶିନ

ବାସୁଦେବପୁର, ୮ା୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ଡାକ୍ତରଖାନାରେ ଆଉଟଡୋର ସାମ୍ନାରେ ଶୁକ୍ରବାରଠାରୁ ଲାଗିଛି ହୋଲବଡ଼ି ସାନିଟାଇଜର ମେଶିନ। ଏହି ସାନିଟାଇଜର୍‌କୁ ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ଗ୍ରାମର କାଳୀପଦ ସିଟ୍‌ ନାମକ ଜଣେ ଅଟୋପାର୍ଟସ ମେକାନିକ(ଯୁବକ) ଉଦ୍ଭାବନ କରିଛନ୍ତି। କେତେକ ଅଟୋ ପାର୍ଟସ୍‌ ଅଦରକାରୀ ଯନ୍ତ୍ରାଂଶ ଓ ଅନ୍ୟ କେତେକ ଘରୋଇ ଅନାବଶ୍ୟକ ଉପକରଣକୁ ନେଇ ସେ ଏହି ମେଶିନ ତିଆରି କରିଛନ୍ତି। ଏହି ମେଶିନରେ ୬ଟି ସେନ୍ସର ଲାଗିଛି। ଦେଶ ଓ ବିଶ୍ୱରେ କରୋନା କାୟା ବିସ୍ତାର କରିଥିବା ବେଳେ କୋଭିଡ଼-୧୯ ପ୍ରତିରୋଧକ ଏହି ବଡ଼ି ସାନିଟାଇଜର୍‌କୁ ଡାକ୍ତରଖାନା କର୍ତ୍ତୃପକ୍ଷ ଟିକିନିଖି ପରୀକ୍ଷା କରିବା ପରେ ଲଗାଇଛନ୍ତି। ଏହି ମେଶିନ ତିଆରି କରିବାକୁ କାଳୀପଦଙ୍କୁ ଏକ ସପ୍ତାହ ସମୟ ଲାଗିଛି। ଶୁକ୍ରବାର ଏହାକୁ ଉଦ୍‌ଘାଟନ କରାଯାଇଛି। ଏହି ସମୟରେ ବିଡିଓ ପ୍ରଣବ କୁମାର ବେହେରା, ବିଧାୟକ ପ୍ରତିନିଧି ଅସିତ ଦାଶ, ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ କୁମାର ସାମନ୍ତ, ସ୍ବାସ୍ଥ୍ୟ କର୍ମୀ ଓ କାଳୀପଦ ଉପସ୍ଥିତ ଥିଲେ। ଏହି ମେଶିନ ତିଆରି ପାଇଁ ୬୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। କାଳୀପଦ ନିଜସ୍ବ ଖର୍ଚ୍ଚ ଓ ଉଦ୍ୟମ ବଳରେ ଏହି ମେଶିନ ତିଆରି କରି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା କହିଛନ୍ତି।