ବାଳସୁଧାର ଗୃହରୁ ଅନ୍ତେବାସୀ ଚମ୍ପଟ ଘଟଣା: ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କ ମିଳୁନି ପତ୍ତା

ବ୍ରହ୍ମପୁର ଅଫିସିି,୧।୬: ପର୍ଯ୍ୟବେକ୍ଷଣ ଆବାସ ଓ ବାଳସୁଧାର ଗୃହରୁ ୭ ଅନ୍ତେବାସୀ ଚମ୍ପଟ ମାରିଥିବା ଘଟଣାର ଦୁଇ ସପ୍ତାହ ପରେ ମଧ୍ୟ ୩ ଜଣଙ୍କର ପତ୍ତା ମିଳିପାରିନାହିଁ। ଫଳରେ ଏବେ ଉଭୟ ପୋଲିସ ଓ ବାଳସୁଧାରଗୃହର ଅଧୀକ୍ଷକ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ ପୋଲିସ ଘଟଣା ପରେ ଚମ୍ପଟ ମାରିଥିବା ଅନ୍ତେବାସୀଙ୍କ ପରିବାରବର୍ଗ ଓ ସ୍ଥାନୀୟ ଥାନାକୁ ଖବର କରିଛି । ଏଯାବତ୍‌ ସେମାନଙ୍କୁ ଠାବ କରାଯାଇ ପାରି ନ ଥିବାରୁ ଏନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ସେମାନେ ବିଭିନ୍ନ ଗୁରୁତର ଅପରାଧ ଯଥା ବଳାତ୍କାର ଓ ଡକାୟତି ଭଳି ମାମଲାରେ ଜଡ଼ିତ ଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ନେଇ ବ୍ରହ୍ମପୁର ଏସ୍‌ଡିିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ୪ ଅନ୍ତେବାସୀଙ୍କ ମଧ୍ୟରୁ ୩ ଜଣ ଅପରାଧ ଘଟାଇବା ସମୟରେ ସାବାଳକ ଥିଲେ ବୋଲି ଏସ୍‌ଡିପିଓ ପତି କହିଛନ୍ତି। ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଏବେ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। ହେଲେ ଅଦ୍ୟାବଧି ଧରାପଡି ନ ଥିବା ଅନ୍ତେବାସୀ ଏବେ କେଉଁଠି ଅଛନ୍ତି ସେ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ଘଟଣା ପରେ ସେଠାରେ କାର୍ଯ୍ୟରତ ଥିବା ଗୃହରକ୍ଷୀଙ୍କୁ ବାଳସୁଧାର ଗୃହରୁ ହଟାଇ ବ୍ର୍ରହ୍ମପୁର ଏସ୍‌ପି ଅଫିସରେ ନିୟୋଜିତ କରାଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି ।