ବାଲ୍ୟ ବିବାହକୁ ବିରୋଧ କରି ଆତ୍ମନିର୍ଭରଶୀଳ ହେଲେ ୨ ଝିଅ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ବାଲ୍ୟବିବାହ ଏକ ଘୃଣ୍ୟ ସାମାଜିକ ପ୍ରଥା। ଏହି କୁପ୍ରଥା ବିରୋଧରେ ଆଇନ ପ୍ରଣୟନ ହୋଇଥିଲେ ବି ଗଁା ଗହଳିରେ ଅନେକ ଝିଅ ବାଲ୍ୟ ବିବାହର ଶିକାର ହେଉଛନ୍ତି। ମୟୂରଭଞ୍ଜର ଦୁଇ ଝିଅ ବାଲ୍ୟ ବିବାହକୁ ବିରୋଧ କରି ଏବେ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛନ୍ତି। ଖୁଣ୍ଟା ବ୍ଲକର ସ୍ମୃତିରେଖା ସିଂହ ଓ ସମଖୁଣ୍ଟା ବ୍ଲକର ମାମିନା ନାଏକ ଦୁଇଜଣ ନାବାଳିକାଙ୍କ ପରିବାର ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରାଉଥିଲେ। ଜିଲା ପ୍ରଶାସନ ଖବରପାଇ ସେମାନଙ୍କୁ ଉଦ୍ଧାର କରି ଶିଶୁ ପ୍ରଯତ୍ନ ଗୃହରେ ରଖିଥିଲା। ଶିଶୁ କଲ୍ୟାଣ ସମିତିର ପରାମର୍ଶକ୍ରମେ ସେମାନଙ୍କୁ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାରେ ତାଲିମ ଦିଆଯାଇଥିଲା। ଏବେ ସେମାନେ ସାବାଳିକା ହୋଇସାରିଥିବାରୁ ବାଙ୍ଗାଲୋରର ଅରବିନ୍ଦ ପ୍ରାଇଭେଟ ଲିମିଟେଡରେ ୮୮୦୦ ଟଙ୍କା ଦରମା ଓ ଅନ୍ୟାନ୍ୟ ସୁବିଧା ସହ ଚାକିରି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୁଇ ଝିଅଙ୍କ ସଫଳତାରେ ଖୁସି ହୋଇ ମୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି।