ବାଲେଶ୍ୱର, ଭଦ୍ରକକୁ ଟପିଲା ଯାଜପୁର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ଗୁରୁବାର ପୁଣି ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ୍‌ ଯାଜପୁର ଜିଲାର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଚିହ୍ନଟ ରୋଗୀଙ୍କ ବିଷୟରେ ସବିଶେଷ ତଥ୍ୟ ଜଣାପଡ଼ିନାହିଁ।

ପୂର୍ବରୁ ଯାଜପୁର ଜିଲାରେ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜିର ପଜିଟିଭ୍‌ଙ୍କୁ ମିଶାଇ ଏହି ସଂଖ୍ୟା ୧୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି। ସେଥିରେ ବାଲେଶ୍ୱରରେ ୮ଜଣ ଏବଂ ଭଦ୍ରକରେ ୧୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ରହିଛନ୍ତି। ଏଣୁ ଏବେ ଯାଜପୁର ଏହି ଦୁଇ ଜିଲାକୁ ପଜିଟିଭ୍‌ ମାମଲାରେ ଟପିଥିବା ଚର୍ଚ୍ଚା ହେଉଛି।

ପ୍ରକାଶ ଯେ, ପୂର୍ବାହ୍ନରେ ଜଣେ କରୋନା ରୋଗୀ ସୁସ୍ଥ ହୋଇଥିବା ଏବଂ ସେ ଭୁବନେଶ୍ୱରର ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।