ବାଲୁକାକଳାରେ ସୁଦର୍ଶନଙ୍କ ବାର୍ତ୍ତା: ‘ମହିଳାଙ୍କୁ ସମ୍ମାନ ଦିଅ’

ଭୁବନେଶ୍ୱର, ୫।୧୨(ବ୍ୟୁରୋ): ଦେଶ ତଥା ରାଜ୍ୟରେ ଏବେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଭଳି ଘଟଣା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଦେବାକୁ ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଭାରତ ମାନଚିତ୍ରରେ ମହିଳାଙ୍କୁ ସ୍ଥାନ ଦେଇ କରିଥିବା ବାଲୁକାକଳାରେ ସେ ‘ରେସ୍‌ପେକ୍ଟ ଓମ୍ୟାନ୍‌’ ବୋଲି ଲେଖିଛନ୍ତି। ଏହାକୁ ସେ ନିଜର ଟୁଇଟର ପୃଷ୍ଠାରେ ମଧ୍ୟ ଶେୟାର କରିଛନ୍ତି।

ପ୍ରକାଶଯୋଗ୍ୟ, ନିକଟରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର କରାଯିବା ପରେ ବିଭତ୍ସ ଭାବେ ପୋଡ଼ି ହତ୍ୟା କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗିରଫ ହୋଇସାରିଥିଲେ ସୁଦ୍ଧା ଏହାର ପୁନରାବୃତ୍ତି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଶ୍ରୀକ୍ଷେତ୍ର ପୁରୀରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯିବାକୁ ନେଇ ଏବେ ରାଜନୀତି ସରଗରମ ରହିଛି। ରାଜ୍ୟରେ ମହିଳାମାନେ ସୁରକ୍ଷିତ ନ ଥିବା ନାରା ଦେଇ ବିରୋଧୀମାନେ ରାଜ୍ୟସରକାରଙ୍କୁ ଘେରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ଇସ୍ତଫା ଦାବିି କରାଯାଉଛି।