ବାଲି ବୋଝେଇ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୁରୁଷୋତ୍ତମପୁର, ୧୨ା୧୧(ଡି.ଏନ୍‌.ଏ.) -ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ରଣଝାଲି ନିକଟସ୍ଥ ଋଷିକୁଲ୍ୟା ନଦୀ ବ୍ରିଜ ଉପରେ ସୋମବାର ବାଲିବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଣଝାଲି ଗଁାର କେ.ଭାଗିରଥି ଦୋରାଙ୍କ ଝିଅ କେ.ତୃପ୍ତି। ପୋଲିସ ନଂ. ୨୭୮/୧୯ରେ ମାମଲା ରୁଜୁ କରି ଚାଳକଙ୍କୁ ଅଟକ ରଖିବା ସହ ଟ୍ରକୁ ଜବତ କରିଛି। ଏ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ମୁଖ୍ୟରାସ୍ତା ଅବରୋଧ କରିଥିଲେ।
ବାଲି ଟ୍ରକ ଯୋଗୁ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ମୃତକ ପରିବାରକୁ କ୍ଷତିପୂରଣ ଲାଗି ଦାବି କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଆଇଆଇସି ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ ପ୍ରମୁଖ ପହଞ୍ଚତ୍ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଉକ୍ତ ଦାବିଗୁଡ଼ିକ ପ୍ରତି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ତହସିଲଦାର ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହ ବାଲି ନିଲାମଧାରି ୨ ଲକ୍ଷ ୫୦ ହଜାର ଟଙ୍କା ଓ ଗାଡି ମାଲିକ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଚୁକ୍ତି କରିବା ପରେ ରାସ୍ତାରୋକୋ ହଟିଥିଲା। ଆନ୍ଦୋଳନ ଯୋଗୁ ୩ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଥିଲା। ପ୍ରକାଶ ଯେ, ତୃପ୍ତି ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ପଢୁଥିଲେ। ଅପରାହ୍ନରେ ସେ ତାଙ୍କର ମାମୁଁ ଝିଅ ଭଉଣୀ ଏସ୍‌. ବର୍ଷାଙ୍କ ସହ ମିଶି ନିଜ ନିଜ ସାଇକେଲରେ ପୁରୁଷୋତ୍ତମପୁରରୁ ଘରକୁ ଫେରିବା ବେଳେ ଋଷିକୁଲ୍ୟା ବ୍ରିିଜ ଉପରେ ବାଲି ବୋଝେଇ ଟ୍ରକ ତୃପ୍ତିଙ୍କ ସାଇକେଲ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତୃପ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷା ଅଳ୍ପକେ ବର୍ତ୍ତି ଯାଇଥିଲେ।