ବାଲିଯାତ୍ରାରେ ବନ୍ଧୁ ଅର୍ଜନ

ଅନ୍ନପୂର୍ଣ୍ଣା ଦେବୀ ପାଣ୍ଡେ
ଏହା ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣମୀରେ ପାଳନ କରାଯାଉଥିବା ବାଲିଯାତ୍ରା ଉତ୍ସବ କଥା ନୁହେଁ, ବାଲିରେ ତିନି ସପ୍ତାହ କଟେଇ ଘରକୁ ଫେରିବା ବେଳର କଥା। ବାଲିରୁ କାଲିଫର୍ନିଆ ଫେରୁଥାଏ। ୩ ସପ୍ତାହ ଧରି ରିସର୍ଚ୍ଚ ଏବଂ କିଛି ମଜାକରି ଘରକୁ ଫେରିବାରେ ମନଟା ବଡ଼ ଖୁସି। ଉଡାଜାହାଜ ବାଲିର ରାଜଧାନୀ ଡେନ୍‌ପସାରରୁ ତାଇପେଇ ଏବଂ ଦୁଇଘଣ୍ଟା ପରେ ତାଇପେଇରୁ ସାନ୍‌ଫ୍ରାନ୍‌ସିସ୍କୋ ଯିବ। କେମିତି ଘରେ ପହଞ୍ଚତ୍ବି ଏବଂ ମୋର ଦୈନନ୍ଦିନ କାମ ଆରମ୍ଭ କରିବି ଭାବୁଥାଏ। ଡେନ୍‌ପସାର ଏୟାରପୋର୍ଟରେ ଉଡ଼ାଜାହାଜ ଠିଆ ହୋଇଥାଏ। ଅପରାହ୍ଣ ୩ଟା ୪୦ରେ ଉଡାଜାହାଜ ଛାଡ଼ିବା କଥା କିନ୍ତୁ ଦୀର୍ଘ ୨ଘଣ୍ଟା ପରେ ମଧ୍ୟ ଉଡ଼ାଜାହାଜ ଛାଡ଼ିବାର ନଁା ନାହିଁ। ଇଣ୍ଡୋନେସିଆ ରାଷ୍ଟ୍ରପତି ଏୟାରପୋର୍ଟକୁ ଆସିବାକୁ ଥାଏ। ଶୁଣିଲି ସେଥିପାଇଁ କୌଣସି ଉଡ଼ାଜାହାଜ ନିର୍ଦ୍ଧାରିତ ସମୟରେ ଉଡ଼ିପାରିବ ନାହିଁ। ଉଡାଜାହାଜଟି ୩ ଘଣ୍ଟା ଡେରିରେ ଛାଡ଼ିଲା। ମନଟା ମୋର ବଡ଼ ଦୁଃଖ। ଆଉ ସଂଯୋଗକାରୀ ଉଡ଼ାଜାହାଜଟି ମିଳିବ ନାହିଁ। ମଝିରେ ବି ବେଶି ସମୟ ନାହିଁ।
ତାଇପେଇରେ ପହଞ୍ଚି ବୁଝିଲି ଯେ ମୋ ଯିବା ଉଡ଼ାଜାହାଜଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡ଼ି ଦେଇଛି। ତାଇପେଇ ଏବଂ ଆଖପାଖ ଅଞ୍ଚଳରେ ବଡ଼ ‘ଟାଇଫୁନ୍‌’। ସେଥିପାଇଁ ଉଡାଜାହାଜକୁ ଶୀଘ୍ର ଛାଡ଼ିବାକୁ ପଡ଼ିଲା। ବର୍ତ୍ତମାନ କ’ଣ ହେବ? ତାଇପେଇରେ ରାତି ଘ୧୧.୩୦ମି.। ଗୋଟିଏ ହୋଟେଲ୍‌ ଭାଉଚର ଦେଇ ଏୟାରପୋର୍ଟ ଅଫିସର ଜଣକ ଇମିଗ୍ରେସନ ଆଡକୁ ହାତ ଦେଖେଇଦେଲେ। କହିଲେ ଇମିଗ୍ରେସନ କ୍ଲିୟର କରି ଆପଣଙ୍କ ଜିନିଷ ନେଇ ତଳେ ଅପେକ୍ଷା କରନ୍ତୁ। ହୋଟେଲରେ ୨୬ ଘଣ୍ଟା ରହିବାକୁ ପଡ଼ିବ। ତା’ ପର ଉଡ଼ାଣ ପରଦିନ ରାତିରେ। ମତେ ଅନ୍ଧାର ଦିଶିଲା। କି ଦୁଃଖ! ଗତ ୩ ସପ୍ତାହ ଧରି ବାଲି ଏବଂ ଜାକର୍ତ୍ତାର ସବୁ ସୁନ୍ଦର ଅନୁଭୂତି ପାଣି ଫାଟିଗଲା। ଲାଗିଲା ଯେମିତି ଏ ସମୟ ସରିବନି ଆଉ ମୁଁ ଘରକୁ ଫେରିପାରିବିନି।
ପାଠକେ, ସେହିଭଳି ଅଭିଜ୍ଞତା ଆପଣମାନଙ୍କର କିଛି ଥିବ ନିଶ୍ଚୟ। ଆପଣମାନେ ମୋ ମନର ବେଦନା ବୁଝିପାରୁଥିବେ। ହୋଟେଲ ଯିବା ପାଇଁ ଏକ ବସ୍‌ ନେବାକୁ ପଡ଼ିଲା। ଏୟାରପୋର୍ଟରୁ ଏକ ଘଣ୍ଟାର ବାଟ। ଦୁଇ ଜଣ ଉଡାଜାହାଜ କର୍ମକର୍ତ୍ତା ଏକ ବାଡି ଧରି ଆମ ସମସ୍ତଙ୍କୁ ଏକାଠି କରୁଥାନ୍ତି। ଶହ ଶହ ଯାତ୍ରୀ ଏୟାରପୋର୍ଟରେ ଠୁଳ ହୋଇଥାନ୍ତି। ସମସ୍ତଙ୍କର ସେହି ଅବସ୍ଥା। କିଏ ଭାନ୍‌କୁଭର ଯିବ ବା କିଏ ଆମଷ୍ଟରଡାମ, ଭିଏନା, ପ୍ୟାରିସ, ଲସ୍‌ଏଞ୍ଜେଲ୍‌ସ, ସାନଫ୍ରାନ୍‌ସିସ୍କୋ ଓ ଆହୁରି ଅନେକ ସହର। ସମସ୍ତଙ୍କ ମୁହଁରେ ଉତ୍କଣ୍ଠା। ଏହି ୨୬ ଘଣ୍ଟା ହୋଟେଲ ରହଣିରେ ମୋର ଚାରିଜଣ ସ୍ତ୍ରୀଲୋକଙ୍କ ସାଙ୍ଗରେ ପରିଚୟ ହେଲା। ଆମେ ଶୀଘ୍ର ପରସ୍ପର ସହିତ ବନ୍ଧୁତା ସମ୍ପର୍କ ବଢ଼ାଇଲୁ। ମୁଁ ଏହି ସ୍ତ୍ରୀ ଲୋକଙ୍କଠୁ କ’ଣ ଶିଖିଲି, ଆପଣଙ୍କ ପାଖରେ ଉପସ୍ଥାପନା କରିବି।
ଆଲମିରା ଜଣେ ୩୫ ବର୍ଷୀୟା ମହିଳା। ମୋ ପଛରେ ହୋଟେଲ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥାନ୍ତି। ସଙ୍ଗେ ସଙ୍ଗେ ମୋ ସହ କଥାବାର୍ତ୍ତା ଆରମ୍ଭ କରିଦେଲେ। ସେ ନିଜକୁ ଭାରତୀୟ ମାନନ୍ତି ଓ ତାଙ୍କ ପରିବାର ଭାରତରୁ ଆସିଛନ୍ତି। ୧୮୩୦ ମସିହାରେ ଦାଦନ ଶ୍ରମିକ ଭାବରେ ତାଙ୍କ ବଂଶଧର ଯାଇ ନାଇରୋବିରେ ବସବାସ କରିଥିଲେ। ତାଙ୍କ ମା’ବାପା ନାଇରୋବିରୁ ସ୍ପେନ୍‌ ଏବଂ ସ୍ପେନ୍‌ରୁ ବର୍ତ୍ତମାନ ଭ୍ୟାନ୍‌କୁଭର, କାନାଡ଼ାରେ ବସବାସ କରିଛନ୍ତି। ବାପା ଜଣେ ମୋଟର ମିସ୍ତ୍ରି, ମା’ କାନାଡ଼ାର କାଲଗୁରି ସହରରେ ବସ୍‌ ଚାଳକ। ମା’ବାପା ଅଲଗା ହୋଇଯାଇଛନ୍ତି। ସାବତମା’ କାଜିକସ୍ତାନର। ଆଲ୍‌ମିରା ବର୍ତ୍ତମାନ କାନାଡ଼ାର ୱେଷ୍ଟଜେଟ ଏୟାରଲାଇନ ପାଇଁ କାମ କରନ୍ତି। ସେ ହେଲେ ଇସ୍‌ମାଇଲ ମୁସ୍‌ଲିମ୍‌। ତାଙ୍କର ପୁଅ ସାଙ୍ଗ ମଧ୍ୟ ଇସ୍‌ମାଇଲ। ସେମାନେ ସୁଫି ପରମ୍ପରା ଏବଂ ହିନ୍ଦୁ ପରମ୍ପରାରେ ଅନୁପ୍ରାଣିତ। ଆଲ୍‌ମିରା ଜଣେ ସମ୍ପତ୍ତି ବ୍ୟବସାୟୀ, ତାଙ୍କର ବାନ୍ଧବୀ ମଧ୍ୟ ଭାରତୀୟ। ସେ ଭାରତରୁ ଯାଇ ତାଙ୍କ ମା’ଙ୍କ ସହିତ କାନାଡ଼ାରେ ବସବାସ କରନ୍ତି। ବର୍ତ୍ତମାନ ସେ କାନାଡ଼ାରେ ଗ୍ରୀନ୍‌କାର୍ଡ (ସ୍ଥାୟୀ ଅଧିବାସୀ ହେବା) ପାଇଁ ଦରଖାସ୍ତ କରିଛନ୍ତି। ଆଲ୍‌ମିରା ନିଜେ ଗୋଟିଏ ଘର କିଣି ଏକୁଟିଆ ରୁହନ୍ତି। ତାଙ୍କ ଦୂର ସମ୍ପର୍କୀୟର ବାହାଘର ପାଇଁ ସେ ବାଲି ଆସିଥିଲେ। ଏକୁଟିଆ ଯାତ୍ରା କରିବାରେ ସେ ନିଜେ ତାଙ୍କ ଅସ୍ତିତ୍ୱ ଖୋଜିଥାନ୍ତି। ନିଜର ଘର କିଣି ସ୍ବାଧୀନ ଭାବରେ ରହିବାରେ ଗର୍ବ ତାଙ୍କର। ବାହା ତ ହେବେ ନିଶ୍ଚୟ, କିନ୍ତୁ ତା’ ବୋଲି ତାଙ୍କ ନିଜର ସ୍ବାଧୀନତାକୁ କେବେ ନ ହରାଇବା ପାଇଁ ସେ ବଦ୍ଧପରିକର। ତାଙ୍କ ଚାକିରି ଛଡ଼ା ସେ ସପ୍ତାହ ଶେଷ ଶନିବାର ଏବଂ ରବିବାରରେ ଯୋଗ ଶିଖାନ୍ତି ଏବଂ ବଡି ବିଲ୍ଡିଙ୍ଗ କରନ୍ତି।
କ୍ରିଷ୍ଟିନାଙ୍କ ବୟସ ୪୭। ଆମେ ଦୁଇ ଜଣ ଡେନ୍‌ପସାରରୁ ତାଇପେଇ ଉଡ଼ାଣରେ ପାଖାପାଖି ବସିଥିଲୁ। କିନ୍ତୁ ପରସ୍ପରକୁ ଦେଖିବା ଏବଂ ସ୍ମିତହାସ୍ୟର ଆଦାନ ପ୍ରଦାନ ଛଡ଼ା କିଛି ବାର୍ତ୍ତାଳାପ ହୋଇ ନ ଥିଲା। ହୋଟେଲ୍‌ରେ ବ୍ରେକ୍‌ଫାଷ୍ଟ ଖାଇବାବେଳେ ପରସ୍ପରକୁ ଖୋଜି ବାହାର କରିଦେଲୁ। ଆମେ ପାଖାପାଖି ବସିଥିଲୁ, ସତେଯେମିତି ବହୁଦିନ ହେଲା ପରସ୍ପରକୁ ଜାଣିଛୁ। ତାପରେ ଲଞ୍ଚ୍‌, ବାହାରକୁ ଟିକେ ଚାଲିବାକୁ ଯିବା ଏବଂ ଏକାଠି ସମୟ କଟାଇବା ଦ୍ୱାରା ବନ୍ଧୁତ୍ୱ ହୋଇଗଲା। ସେ ତାଙ୍କ ବିଷୟରେ କୁହନ୍ତି ଯେ, ସେ ବାହା ହୋଇଥିଲେ କିନ୍ତୁ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ୨୦ ବର୍ଷର ଗୋଟିଏ ପୁଅ। ହାଇସ୍କୁଲରୁ ପାସ୍‌ କରିବା ପରେ ପୁଅ ତାଙ୍କ ପାଖେ ରହି ସ୍ଥାନୀୟ କଲେଜରେ ପଢୁଥିଲା। ଏଇ ବର୍ଷ ତାଙ୍କ ପାଖରୁ ଯାଇ ନିଜେ ଘରଭଡ଼ା ନେଇ ରହୁଛି। କ୍ରିଷ୍ଟିନା ନିଜକୁ ଜଣେ ଶିକ୍ଷୟିତ୍ରୀ ବୋଲି ପରିଚୟ ଦିଅନ୍ତି। ସେ ଆଦିବାସୀମାନଙ୍କର ପାରମ୍ପରିକ ଜ୍ଞାନ, ବିକଳ୍ପ ରେକି ଔଷଧ, ଧ୍ୟାନ, ଯୋଗ, ପ୍ରାଣାୟାମ ଏବଂ ପୌଷ୍ଟିକ ଖାଦ୍ୟ ଅଭ୍ୟାସକୁ ନେଇ ଶିକ୍ଷା ଦିଅନ୍ତି। ଏକୁଟିଆ କ୍ରିଷ୍ଟିନା ଗୋଟେ ମାସ ପାଇଁ ବାଲି ଆସିଥିଲେ। ତାଙ୍କର ସାଙ୍ଗମାନଙ୍କ ପାଖରେ ରହି ସେ ନିଜର ରୋଗ ଭଲ କରିବା ଜ୍ଞାନକୁ ସୁଦୃଢ଼ କଲେ। ତାଙ୍କ ପାଇଁ ଗୋଟେ ମାସ ନିଜ ଇଚ୍ଛା ଅନୁଯାୟୀ ବାଲିରେ ଆସି ରହିବାଟା ଗୋଟେ ଆତ୍ମ ଆବିଷ୍କାର।
ଆମଣ୍ଡା ଜଣେ ହସଖୁସିଆ ୨୯ ବର୍ଷୀୟା ମହିଳା। ସେ ମଧ୍ୟ ଆମର ଗୋଷ୍ଠୀ ସହିତ ଏତେ କମ୍‌ ସମୟରେ ସାମିଲ୍‌ ହୋଇଗଲେ। ସେ ଗୋଟିଏ ଖୁଚୁରା ଦୋକାନର ପରିଚାଳକ। ତାଙ୍କର ବଦଳି ହୋଇଛି ହାୱାଇ ଦ୍ୱୀପର ମାଉଇକୁ। ତାଙ୍କ ମା’ ରୁହନ୍ତି ଦକ୍ଷିଣ କାଲିଫର୍ନିଆର ପାଲ୍‌ମ ସ୍ପ୍ରିଙ୍ଗରେ। ପୂର୍ବରୁ ସେ ଲସ୍‌ଏଞ୍ଜେଲ୍‌ସରେ କାମ କରୁଥିଲେ। ନୂଆ କାମ ନୂଆ ଜାଗାରେ ଯୋଗଦେବା ପୂର୍ବରୁ ସେ ବାଲିରେ ଟିକେ ଛୁଟି କଟାଇବାକୁ ଚାହିଁଲେ। ତାଙ୍କର ମା’ବାପା ଅଲଗା ରୁହନ୍ତି। ସେ ତାଙ୍କ ମା’ଙ୍କ ସହିତ ବେଶ୍‌ ଅନ୍ତରଙ୍ଗ। ତାଙ୍କ ମା’ ଦୁଇ ଘଣ୍ଟା ଡ୍ରାଇଭ କରି ରାତି ବାରଟା ପରେ ତାଙ୍କୁ ଏୟାରପୋର୍ଟରୁ ଘରକୁ ନେବେ। ସେ ତାଙ୍କ ସାଙ୍ଗରେ ଦୁଇ ସପ୍ତାହ ରହି କର୍ମକ୍ଷେତ୍ର ମାଉଇକୁ ଫେରିଯିବେ। ସେ ମଧ୍ୟ ବାଲିରେ ଗୋଟେ ମାସ ରହି ଘରକୁ ଫେରୁଛନ୍ତି। ଏହି ଭ୍ରମଣ ସମୟଟି ତାଙ୍କ ପାଇଁ ବଡ଼ ମହତ୍ତ୍ୱପୂର୍ଣ୍ଣ। ଗତ ଦେଢ଼ବର୍ଷ ହେଲା ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି। ଦେଖିବାକୁ ସୁନ୍ଦରୀ। ସ୍ମାର୍ଟ ଓ ବୁଦ୍ଧିଆ ସ୍ତ୍ରୀଲୋକ। ତାଙ୍କର ଛାଡ଼ପତ୍ର ପାଇଁ ପ୍ରସ୍ତୁତି ଚାଲିଛି। ତାଙ୍କ ସ୍ବାମୀ ଇଂଲଣ୍ଡର ଏବଂ ବ୍ରିଟିଶ ପାସ୍‌ପୋର୍ଟଧାରୀ। ମୁଁ ପଚାରିଲି, ‘ବାଲି କ’ଣ ମନ ଭୁଲାଇବା ପାଇଁ ଆସିଥିଲ?’ ସେ କହିଲେ ନା ନା, ମୁଁ ଗତ ୫ ମାସ ହେଲା ଏହି ଭ୍ରମଣ ଯୋଜନା କରୁଛି। ଜୀବନରେ ପ୍ରଥମ ଥର ପାଇଁ ଏହି ବାଲିଯାତ୍ରା ମୋର ସ୍ବତନ୍ତ୍ର ନିଜର।
ଜେସିକାଙ୍କ ବୟସ ୨୬। ଆମ ସମସ୍ତଙ୍କ ମଧ୍ୟରେ ସେ ସବୁଠାରୁ ସାନ। କାଲିଫର୍ନିଆ, ସାଣ୍ଡିଆଗୋ ବିଶ୍ୱବିଦ୍ୟାଳୟରୁ ବି.ଏ. ପାସ୍‌ କରି ବିଶ୍ୱବିଦ୍ୟାଳୟରେ ଫାଇନାନ୍ସିଆଲ ଆନାଲିଷ୍ଟ ଭାବରେ କାମ କରନ୍ତି। ତାଙ୍କର ଜଣେ ସାଙ୍ଗ ଏବଂ ତା’ର ମା’ଙ୍କ ସାଙ୍ଗରେ ସେ ବାଲି ଆସିଥିଲେ। ବର୍ତ୍ତମାନ ଦୁଇ ସପ୍ତାହ ବାଲିର ରହଣି ପରେ ସେ ନିଜ କାମକୁ ଫେରୁଛନ୍ତି। ଆସନ୍ତା ବର୍ଷ ସେ ଏମ୍‌ବିଏ କରିବେ। ସେ ତାଙ୍କ ପାଠପଢ଼ା ପାଇଁ କାହାରି ସାହାଯ୍ୟ ନ ନେଇ ନିଜ ଚେଷ୍ଟାରେ ପଢ଼ନ୍ତି। ଚାରିଜଣ ଯାକ ଚାକିରି କରନ୍ତି ଏବଂ ନିଜର ସ୍ବାଧୀନତାକୁ ନେଇ ଗର୍ବ କରନ୍ତି। ସେମାନେ ନିଜର ବ୍ୟକ୍ତିଗତ ସମ୍ପର୍କକୁ ବଡ଼ ଆଦର କରନ୍ତି, କିନ୍ତୁ ନିଜ ସ୍ବାଧୀନତାକୁ ବଳି ଦେବାକୁ ଚାହାନ୍ତି ନାହିଁ କିମ୍ବା ଦୁଃଖରେ ମ୍ରିୟମାଣ ହୋଇ ନିଜ ପାଖରେ ହାର ମାନିବାକୁ ଚାହାନ୍ତି ନାହିଁ। ମୋ ପାଇଁ ନାରୀ ସ୍ବାଧୀନତା ଏବଂ ଆତ୍ମନିର୍ଭରଶୀଳତାରେ ଆଲମିରା, ଜେସିକା, ଆମଣ୍ଡା ଏବଂ କ୍ରିଷ୍ଟିନା ହେଲେ ବଡ଼ ଉଦାହରଣ।
ପ୍ରଫେସର, କାଲିଫର୍ନିଆ ବିଶ୍ୱବିଦ୍ୟାଳୟ, ଆମେରିକା, ମୋ: ୮୩୨୮୮୮୮୬୦୨ ଇମେଲ୍‌: adpandey101@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri