ବାଲିପଦର ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ଆଚରଣ, ଭୂତ ଭୟ

ବୁଗୁଡା,୨୫ା୯(ଡି.ଏନ୍‌.ଏ.)- ରାଜ୍ୟର କେତେକ ବିଦ୍ୟାଳୟରେ ଏବେ ଭୂତ ଭୟ ଯୋଗୁ ଛାତ୍ରୀଛାତ୍ର ସ୍କୁଲକୁ ଆସୁ ନାହାନ୍ତି। ଏନେଇ ମଙ୍ଗଳବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସମ୍ପୃକ୍ତ ଜିଲାର ଶିକ୍ଷା ଅଧିକାରୀମାନଙ୍କୁ ସଚେତନତା ସୃଷ୍ଟି କରିବା ସହ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଞ୍ଚଳରେ ମଧ୍ୟ ଏକ ବାଳିକା ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବୁଗୁଡା ବ୍ଲକ ବାଲିପଦର ଶ୍ରୀ ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀରେ ୪୩ ଓ ଦଶମରେ ୪୨ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଜଣେ ଛାତ୍ରୀ ଅଗଷ୍ଟ ୨୫ରେ କୌଣସି କାରଣରୁ ଆତ୍ମହତ୍ୟା କରିଥିଲେ। ଏହା ପରଦିନ କେତେଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ନିକଟରେ ଅସ୍ବାଭାବିକ ଆଚରଣ ଦେଖିବାକୁ ମିଳିଥିଲା। ସେବେଠାରୁ ନିୟମିତ ଭାବେ ଏପରି ଘଟଣା ଘଟୁଛି। ବିଭିନ୍ନ ସମୟରେ ଛାତ୍ରୀମାନେ ମୁଣ୍ଡ ବୁଲାଇ ଅଚେତ ହୋଇପଡୁଛନ୍ତି। ଏହା ଅଭିଭାବକ ଓ ଶିକ୍ଷୟିତ୍ରୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସେପ୍ଟେମ୍ବର ୧୬ରେ ଦଶମ ଶ୍ରେଣୀ ପ୍ରିଟେଷ୍ଟ ପରୀକ୍ଷା ଚାଲିଥିବାବେଳେ ୮ ଛାତ୍ରୀ ମୁଣ୍ଡ ବୁଲାଇ ଅଚେତ ହୋଇଯାଇଥିଲେ। ଏପରି ବାରମ୍ବାର ଘଟିବାରୁ ପ୍ରଧାନ ଶିକ୍ଷୟିତ୍ରୀ ବୈଜୟନ୍ତୀ ମାଳା ସୁବୁଦ୍ଧି ସ୍ଥାନୀୟ ବିଇଓ ରସାନନ୍ଦ କର ଓ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଏବେ ଅଧିକାଂଶ ଅଭିଭାବକ ସେମାନଙ୍କ ଛାତ୍ରୀଙ୍କୁ ବିଦ୍ୟାଳୟ ଛାଡୁ ନାହାନ୍ତି।