ବାଲିଆରେ ବୋମାମାଡ: ୨ ଜୀବନ୍ତ ଗୁଳି ଜବତ

ଡେରାବିଶ, ୧୬।୧୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ବାଲିଆ ମୁସଲମାନ ବସ୍ତିରେ ରବିବାର ବିଳମ୍ବିତ ରାତିରେ ଏକ ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ରବିବାର ରାତିରେ ବାଲିଆ ଗ୍ରାମର ଅମିର ଖାଁଙ୍କ ଘର ସମ୍ମୁଖରେ କେହି ଦୁର୍ବୃତ୍ତ ଶବ୍ଦ ସୃଷ୍ଟିକାରୀ ବାଣ(ଫୋଟକା) ଫୁଟାଇବା ସହ ଦୁଇଟି ଜୀବନ୍ତ ଗୁଳି ରଖି ଫେରାର ହୋଇଯାଇଥିଲେ। ଖବର ପାଇଁ ଥାନା ଅଧିକାରୀ ଉମାକାନ୍ତ ନାୟକ ପୋଲିସ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଜୀବନ୍ତ ୨ଟି ଗୁଳି ସହ ଦିଆସିଲ୍‌ କାଠି ଦୁଇଟି ଜବତ କରିଛନ୍ତି। ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି।