ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ଉଦ୍‌ଘାଟିତ: ଫଳକରେ ଏମ୍‌ପିଙ୍କ ନାମ ନ ଥିବାରୁ ପ୍ରତିବାଦ

ବାଲିଆପାଳ, ୧୩।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଅନୁଦାନରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ନବନିର୍ମିତ ବହିଃବିଭାଗକୁ ଗୁରୁବାର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଉତ୍ସବକୁ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରା ନ ଯିବା ଏବଂ ଫଳକରେ ତାଙ୍କ ନାମ ନ ଥିବାରୁ ସ୍ଥାନୀୟ ଭାଜପା ନେତା ଓ କର୍ମୀ ପ୍ରତିବାଦ କରିବା ସହ ଧାରଣାରେ ବସିଥିଲେ। ପୋଲିସ ସେମାନଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିଲା। କାର୍ଯ୍ୟକ୍ରମ ପରେ ଛାଡ଼ି ଦେଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସମ୍ମାନିତ ଅତିଥି ଭାବେ ସିଡ଼ିଏମ୍‌ଓ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ, ବାଲିଆପାଳ ସିଏଚ୍‌ସିର ଡା. ବେଣୁଧର ହୁଇ, ଶ୍ରୀଧର ବିଶ୍ୱାଳ, ଜିଲାପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ଅଣ୍ଡିଆ ପ୍ରମୁଖ ଯୋଗଦେଇଥିଲେ। ପୂର୍ବତନ ସମିତି ସଦସ୍ୟ ମୃତ୍ୟୁଞ୍ଜୟ ନାୟକ, ବିମଳ ସାହୁ, ଅଜୟ ପାତ୍ର, କାର୍ତ୍ତିକ ନାୟକ, ଶାନ୍ତନୁ ଭଦ୍ର ଓ ରଘୁନାଥ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଏନଆରଏଚଏମ୍‌ ଯୋଜନାରୁ ୧କୋଟି ୫୬ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇଥିଲେ। ଉଦ୍‌ଘାଟନ ଉତ୍ସବକୁ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ନିମନ୍ତ୍ରଣ କରା ନ ଯିବା ଏବଂ ଫଳକରେ ତାଙ୍କ ନାମ ଲେଖାଯାଇ ନ ଥିବା ସ୍ଥାନୀୟ ଭାଜପା ନେତା ଅଭିଯୋଗ କରିଛନ୍ତି। ବିଧାୟକ ପ୍ରକଳ୍ପ ସ୍ଥାନରେ ପହଞ୍ଚତ୍ ଉଦ୍‌ଘାଟନ କରିବା ପୂର୍ବରୁ ଭାଜପା ନେତା ଅରବିନ୍ଦ ବେହେରା, ମାନସ ଦାସ, ଗୌରବ ଅଣ୍ଡିଆ, ନାରାୟଣ ପଣ୍ଡା, ଶିବଶଙ୍କର ପ୍ରଧାନ, ଗୁଣାକର ସାହୁ, ଗୁଣାକର ପରିଡ଼ା, ଭୃଗୁରାମ ବିଶ୍ୱାଳ, କ୍ଷୀତିଶ ଜେନା, ସନ୍ନ୍ୟାସୀ ପ୍ରଧାନ, ଅଜିତ ପଟ୍ଟାୟତ, ମହେଶ୍ୱର ଦାସ, ଗଗନ ସାହୁ, ନୀଳକଣ୍ଠ ଜେନା, ଚିନ୍ମୟ ପାଲ, ମନ୍ମଥ ନାୟକ, ମନୋଜ ପ୍ରଧାନ, ବଂଶୀଧର ରାଉଳ, ରାଜେନ୍ଦ୍ର ପାତ୍ର, ଜଗନ୍ନାଥ ଗିରି ଓ ସୁଶୀଲ ସି ପ୍ରମୁଖ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ବସ୍ତା ଏସ୍‌ଡ଼ିପିଓ ଜଳନ୍ଧର ଜାଲି, ବାଲିଆପାଳ ଆଇଆଇସି ବିମଳ ନାୟକ ଧାରଣାରତ ଭାଜପା କର୍ମୀମାନଙ୍କୁ ଗିରଫ କରି ଥାନାକୁ ନେଇଯାଇଥିଲେ। ଉଦ୍‌ଘାଟନ ସରିବା ପରେ ପୋଲିସ ଗିରଫ ଭାଜପା କର୍ମୀମାନଙ୍କୁ ଛାଡ଼ି ଦେଇଥିଲା।