ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)-
ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ବାର୍ଷିକ ଇନକ୍ରିମେଣ୍ଟ ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସରକାର ଠିକ୍‌ ସମୟରେ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତ ଯୋଗାଇ ଦେଉନାହାନ୍ତି। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କୁ ଠିକ୍‌ ସମୟରେ ପାଠ୍ୟ ପୁସ୍ତକ ମିଳୁନି। ଜିଲାରେ ୮୯୦୦ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କ ପାଇଁ ୧ଲକ୍ଷ ୩୮ହଜାର ୬୦୦ଟି ବିଭିନ୍ନ ବିଷୟର ପୁସ୍ତକ ସରକାର ଯୋଗାଇ ଦେବା କଥା ା ଏହାଦ୍ୱାରା ପ୍ରତ୍ୟେକ ପିଲା ଗୋଟିଏ ସେଟରେ ୧୪ଟି ବହି ପାଇବେ। ଏପର୍ଯ୍ୟନ୍ତ ମାଲକାନଗିରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ପ୍ରଥମ ପର୍ଯ୍ୟାୟରେ ୩ହଜାର ସେଟ୍‌ ବହି ଆସିଥିବା ବେଳେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟରେ ୩୫୦୦ ସେଟ୍‌ ବହି ଆସଛି। ଜୁନ୍‌ ଶେଷ ଭାଗରେ ଗ୍ରୀଷ୍ମଛୁଟି ସରି ବିଦ୍ୟାଳୟ ଖୋଲିଥିଲା। ଏହି ୪ମାସ ମଧ୍ୟରେ ଛାତ୍ରୀଛାତ୍ରମାନେ ବହି ପାଇ ନ ଥିବାରୁ ସେହି ସବୁ ବିଷୟରେ ନିୟମିତ ପାଠ ପଢା ହୋଇପାରିନି। ଯାହାଦ୍ୱାରା କୋର୍ସ ସରିନାହିଁ। ଅନ୍ୟ ପକ୍ଷରେ ୮୯୦୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୫୦୦ ପିଲାଙ୍କ ପାଇଁ ବହି ଆସିଛି। ବଳକା ୩୪୦୦ ପିଲାଙ୍କ ପାଇଁ ଜିଲା ଶିକ୍ଷା ବିଭାଗ କେବେ ବହି ଯୋଗାଇବେ ଏବଂ ତାହାକୁ ପଢି ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ପାଇଁ ରହିଥିବା ୪ମାସ ମଧ୍ୟରେ ପଢି କିପରି କୃତକାର୍ଯ୍ୟ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜଣେଜ ଅଧିକାରୀ କହିଛନ୍ତି ଯେ, ଯେଉଁସବୁ ବହି ଆସିଛି ସେସବୁ ଆମେ ତୁରନ୍ତ ବିଦ୍ୟାଳୟଗୁଡିକୁ ବଣ୍ଟନ କରୁଛୁ। ଯଦି ଶିକ୍ଷା ବିଭାଗରୁ ବହି ଠିକ୍‌ ସମୟରେ ନ ଆସିଲା ସେଥିପାଇଁ ଆମେ କଣ କରିପାରିବୁ ବୋଲି ସେ କହିଛନ୍ତି।