ବାରି ବରକୋଳି

ଝିଅ ଅଳି କରି କହିଲା, ବାପା ବରକୋଳି ଆଣିବ। କଲିକତି କୋଳି ନୁହଁ, ଦେଶୀ କୋଳି। ବଜାରରେ ଆଖି ବୁଲେଇଲି। ସବୁଠି ଦେଖିଲି ବଡ ବଡ କୋଳି। ଶାକରକନ୍ଦା, ପିଜୁଳି, କମଳା, ସେଓଗୁଡ଼ିକ ଭିତରେ ତା’ର ଉପସ୍ଥିତି ଦେଖିଲି। ଠେଲା ଦୋକାନୀ ଭାଇଙ୍କୁ ପଚାରିଲି, ଭାଇ ବରକୋଳି ଦାମ୍‌ କେତେ? ବିକାଳି ଭାଇ କହିଲେ, କିଲୋ ଅଶୀ ଟଙ୍କା। ଇଚ୍ଛା ହେଉଥାଏ ଗୋଟିଏ ଚାଖିବି। ଭଲ ଲାଗିଲେ ନେବି। ହେଲେ, ହାତ ଯାଉ ନ ଥାଏ ଗୋଟିଏ ଧରିବାକୁ। ଦୋକାନୀ କହିଲା ନେଉନାହାନ୍ତି। ଭଲ ଲାଗିବ। ବାହାରୁ ଆସୁଚି। ସେଇଥିପାଇଁ ଏତେ ରେଟ୍‌। ହାତକୁ ଗୋଟିଏ ବଢେଇଦେଲା। କହିଲା ଚାଖନ୍ତୁ। ଭଲ ଲାଗିଲେ ନେବେ। ଖାଇବା ପୂର୍ବରୁ କୋଳିଟିକୁ ଧୋଇବି ବୋଲି ଭାବୁଥିଲି। ଦୋକାନୀ ଭାଇ ପାଣି ବଢେଇ ଦେଲେ। ଧୋଇବା ଭିତରେ ମନେପଡିଯାଉଥାଏ ପିଲାବେଳ କଥା। ପିଲାବେଳେ ସାଙ୍ଗମାନଙ୍କ ସହିତ କେତେ ଅସନା ଜାଗାରୁ ବିନା ଧୁଆରେ ଖାଇଛି। କାଇଁ ମୋର ତ କିଛି କ୍ଷତି ହୋଇନି। ଗାଁରେ କୋଳି ବିକୁଚି କିଏ। କିଣୁଚି କିଏ। ସମସ୍ତଙ୍କ ବାଡିରେ ବରକୋଳି ଗଛ। ଯେଉଁ ଗାଁରେ କୋଳି ଗଛ ନାହିଁ ସେ ଗାଁର ପିଲାମାନେ କୋଳି ଖାଇବାକୁ ପଡିଶା ଗାଁକୁ ଆସିଥାନ୍ତି। କୋଳି ଦବାନବା ଭିତରେ ବନ୍ଧୁତା ମଧ୍ୟ ବଢ଼େ। ପିଲାମାନେ କୋଳି ଖାଇବାକୁ ଅଧିକ ଭଲ ପାଆନ୍ତି। ପୁଣି ଝିଅମାନଙ୍କ କଥା ନ କହିଲେ ଭଲ। ସେମାନଙ୍କର କୋଳି ପାଇଁ ସ୍ବତନ୍ତ୍ର ଦୁର୍ବଳତା ରହିଛି।
ମୋର ଭାବନାକୁ ବାଧା ଦେଇ କୋଳି ବିକାଳି କହିଲା କେତେ ଦେବି ବାବୁ? ଇଚ୍ଛା ନ ଥାଇ ବାଧ୍ୟ ହୋଇ ଅଢେଇଶ’ ମାଗିଲି। ଦୋକାନୀ କହିଲା, ଅଢେଇଶ’ରେ କେତୋଟି ହେବ। ଅଧ କେଜିଏ ନେଇ ଯାଆନ୍ତୁ। ଘରେ ସମସ୍ତେ ଗୋଟେ ଦି’ଟା ଖାଇବେ। ମନା କଲି। କହିଲି, ଅଢେଇଶ’ ଦିଅ। ଯେତୋଟି କୋଳି ମିଳିଲା ନ କହିଲେ ଭଲ। ଦୋକାନୀକୁ କହିଲି, ଦେଶୀ କୋଳି ରଖୁନ କି? ସେ କହିଲା, ଆସିବାକୁ ଡେରି ଅଛି। ଆଗ ଭଳି ଆଉ ଆଦାୟ ନାହିଁ। ଯେଉଁଠି କୋଳି ଆଦାୟ ହେଉଛି ସେମାନଙ୍କ ପାଇଁ ନିଅଁଟ। ସହରକୁ କମ୍‌ ଆସେ। ଅଳ୍ପ ଦିନ ପାଇଁ ଆସେ। ନ ସରିଲେ ଆମର ଲସ୍‌। ସେଗୁଡିକ ଶୀଘ୍ର ଶଢିଯାଏ। ସହରରେ ସେସବୁ ନେଇ ଆଚାର ବା କିଏ କରୁଛି?
କୋଳି ଦେଖୁ ଦେଖୁ ଝିଅର ଆନନ୍ଦ କହିଲେ ନ ସରେ। କୋଳି ନ ଧୋଇ ପାଟିକୁ ଗୋଟେ ନେଇଗଲା। ସତରେ ପାଚିଲା ବରକୋଳି ପିଲାଙ୍କୁ କେତେ ଆନନ୍ଦ ଦିଏ! ସେଓ, କମଳା, ଅଙ୍ଗୁର ତା’ର ସ୍ଥାନ ନେଇପାରିବନି। କୋଳି କଥା ଭାବୁ ଭାବୁ କେତେ କଥା ମନେପଡିଗଲା। ଦିନେ କୋଣାର୍କ ମନ୍ଦିର ନିର୍ମାଣରେ ନିମଗ୍ନ ଥିବା ବିଶୁ ମହାରଣା ବାରି ବରକୋଳି ଦେଖି ପୁଅକୁ ଚିହ୍ନିଥିଲା। ମା’ ତା’ର ଗାମୁଛା କାନିରେ ବାନ୍ଧିଦେଇଥିଲା ବାରି ବରକୋଳି। ଜନ୍ମରୁ ଦେଖି ନ ଥିଲା ଧରମା ତା’ ବାପା ବିଶୁକୁ। ବାରି ବରକୋଳି ବିଶୁର ଆଖି ଲୁହରେ ଧୋଇ ହୋଇଯାଉଥିଲା। ଘର, ବାଡି, ବରକୋଳି ଗଛ ଦର୍ପଣରେ ମୁହଁ ଦିଶିଲା ପରି ଗୋଟା ପରେ ଗୋଟେ ଦିଶିଗଲା। ଆଉ ବରକୋଳିର ସ୍ବାଦ ମନେ ପଡିଗଲା। ପୁଅକୁ ନ ଚିହ୍ନିବ କେମିତି? ପୁଅକୁ ଜାବୁଡି ଧରିଲା। ଉଭୟଙ୍କ ରକ୍ତରେ ରହିଛି ବାରି ବରକୋଳିର ସତ୍ତା, ରକ୍ତର ସମ୍ପର୍କ।
ସମୟକ୍ରମରେ ଯତ୍ନର ଅଭାବରୁ କେବଳ ବରକୋଳି ଗଛ କାହିଁକି ଅନେକ ଉପାଦେୟ କୋଳିଗଛ ବାଡି ବଗିଚା, ଗାଁ ପାହାଡ଼ରୁ ହଜିଗଲାଣି। ବାପା ବଳଦ ଧରି ଧାନ ବେଙ୍ଗଳା ପକାଇବାକୁ ରାତି ଅଧରୁ ଖଳାକୁ ଯାଆନ୍ତି। ହାତରେ ଲଣ୍ଠନ ଥାଏ। ଭାଲୁକୁ ଦେଖି ବଳଦମାନେ ଅଟକି ଗଲେ। ମା’ ଭାଲୁ ଗଛ ଉପରେ। ଛୁଆ ଭାଲୁ ଗଛ ମୂଳରେ। ମା’ ଭାଲୁ ଗଛ ଡାଳ ହଲାଉଥିଲା। ଯାହା ଝଡୁଥିଲା ଛୁଆ ଖାଉଥିଲେ।
ବରକୋଳି ସହିତ ଆମ ସଂସ୍କୃତି ବନ୍ଧା। ପ୍ରତ୍ୟେକ ଶୁଭ କାମରେ ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଖୋଜାଯାଏ। ବରକୋଳିପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ସେଥିରେ ମଧ୍ୟ ରହିଛି ପୋଷକ ତତ୍ତ୍ୱ। ଅତୀତରୁ ଆଜିଯାଏ ବରକୋଳି ଗଛକୁ ଖୋଜାଯାଉଛି। ବରକୋଳି ବିଭିନ୍ନ ପ୍ରକାରର। ଦେଶୀ ଆଉ ଫାର୍ମ। ଦେଶୀ ବରକୋଳି ମଧ୍ୟ ଅନେକ ପ୍ରକାରର। କେଉଁ କୋଳି ବାଲିଚିଆ ଲାଗେ, କେଉଁ କୋଳି ଖୁବ ସୁଆଦିଆ। ସେହିପରି ଆକୃତି ଦୃଷ୍ଟିରୁ କାହାକୁ ଚକା ବରକୋଳି ବା ଆଉ କାହାକୁ କାକୁଡିଆ ବା ନଡିଆ କୋଳି କୁହାଯାଏ। ସେ ଯାହାହେଉ ସବୁ ବରକୋଳି ସ୍ବାସ୍ଥ୍ୟ ପାଇଁ ଉପକାରୀ। ଏହା ରୁଚିକାରକ ଓ ବଳକାରକ। ଶରୀରରେ ଶୁକ୍ର ଧାତୁ ବୃଦ୍ଧିକରେ। ଏହାର ଛାଲି, ପତ୍ର, ମଞ୍ଜିରେ ଅନେକ ପ୍ରକାର ଔଷଧୀୟ ତତ୍ତ୍ୱ ରହିଛି। ଯେଉଁମାନଙ୍କର ଗଳା ବସିଯାଏ, ସ୍ବରଭଙ୍ଗ ହୁଏ ବରକୋଳିପତ୍ରକୁ ଗୁଆ ଘିଅରେ ଭାଜି ସୈନ୍ଧବ ଲବଣ ମିଶାଇ ଖାଇଲେ ଉପକାର ମିଳେ। ଲାଳରକ୍ତ ଝାଡା ହେଉଥିଲେ ଗଛର ଛେଲିକୁ ଶୁଖାଇ ଗୁଣ୍ଡ କରି ଛେଳି କ୍ଷୀରରେ ଖାଇଲେ ରକ୍ତ ପଡିବା ବନ୍ଦ ହୁଏ। ବରକୋଳି ପତ୍ର ସିଝାଇ କୁଳି କଲେ ପାଟି ଘା’ ଭଲ ହୁଏ। ହାତପାଦ ଜଳାପୋଡା ହେଉଥିଲେ ପତ୍ରକୁ ବାଟି ହାତପାଦରେ ବୋଳିଲେ ଏହା ଦୂରହୁଏ। ସ୍ତନ ଏବଂ ତଳିପେଟର ଢିଲାପଣ ଦୂର କରିବା ପାଇଁ ଏହାର ପତ୍ର ସହିତ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରଲେପ ଦିଆଯାଏ। ପତ୍ରରସ ସହିତ ମିଶ୍ରି ମିଶାଇ ଖାଇଲେ ଦୁର୍ବଳତା ଦୂର ହୁଏ। ଏଇ ଗଛଟି ଭାରି ଉପକାରୀ। ବଢିବା ପାଇଁ ବହୁତ ଦିନ ଲାଗେ। ଡାଳରେ କଣ୍ଟା ଥିବାରୁ ଫସଲ ସୁରକ୍ଷା ପାଇଁ ବାଡ ଦିଆଯାଏ।
ଦିନକୁ ଦିନ ଏ ବରକୋଳି ଗଛ ସଂଖ୍ୟା କମିଗଲାଣି। ଆମ ରାଜ୍ୟ ବରକୋଳି ଗଛ ଚାଷ ପାଇଁ ଉତ୍ତମ। ଏହାର ଅନେକ ଦେଶୀ ପ୍ରଜାତି ନଷ୍ଟ ହୋଇଗଲାଣି। ଆଉ ଖୋଜିଲେ ମିଳିବ ନାହିଁ। ତେଣୁ ଆଜିଠୁ ଆମକୁ ସଜାଗ ହେବାକୁ ପଡିବ। କେବଳ କେନ୍ଦୁଝର, ମୟୂରଭଞ୍ଜ, ବଉଦ ଅଞ୍ଚଳରୁ ସଂଗ୍ରହ କରାଯାଇ ସହରକୁ ଆସୁଛି। ବାଡି ବଗିଚାରେ, ଗାଁ ଜଙ୍ଗଲରେ ବରକୋଳି ଗଛ ଲଗାଇବା ଉଚିତ। କେବଳ ବରକୋଳି ନୁହେଁ କଣ୍ଟେଇକୋଳି, ନରକୋଳି, କେରେଣ୍ଡା କୋଳି, ଅଁଳା କୋଳି, କସେଇ କୋଳି, ଆଖୁ କୋଳି, କ୍ଷୀରିକୋଳି, ବଇଁଚକୋଳି ସବୁ ବିଲୁପ୍ତ ହେବାକୁ ବସିଲାଣି। ଏଗୁଡିକ ଉଭୟ ଖାଦ୍ୟ ଓ ଔଷଧ ରୂପେ ବ୍ୟବହାର କରାଯାଏ। ସଂକଳ୍ପ କରି ବାଡିବଗିଚା, ଗାଁ ପାହାଡରେ ଏସବୁ ଗଛ ଲଗେଇବା। ପଶୁପକ୍ଷୀ ଓ ଆଗାମୀ ଦିନର ପିଲାମାନଙ୍କ ପାଇଁ ହଜିଯାଉଥିବା କୋଳିଗଛକୁ ସାଇତିବା ଆମ ଦାୟିତ୍ୱ।

ଡା. ବାସୁଦେବ ପ୍ରଧାନ

ସରକାରୀ ଆୟୁର୍ବେଦ ହସ୍ପିଟାଲ, ମାଉସୀମା’ ଛକ, ଭୁବନେଶ୍ୱର
ମୋ-୯୪୩୭୩୦୫୦୪୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri