ବାରିପଦା ପୌର ପରିଷଦ: ଦରମା ପ୍ରଦାନ ପରେ ସଫେଇ କାର୍ଯ୍ୟ ସ୍ବାଭାବିକ

ବାରିପଦା ଅଫିସ,୧୫ା୧୧- ବାରିପଦା ପୌର ପରିଷଦର ସଫେଇ କାର୍ଯ୍ୟରେ ନିୟୋଜିତ ସଫେଇ କର୍ମଚାରୀମାନେ ଦରମା ପ୍ରଦାନ ଦାବିରେ ମଙ୍ଗଳବାରଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପ୍ରତିଶ୍ରୁତି ମୁତାବକ ସଫେଇ ସଂସ୍ଥା ଗୁରୁବାର ସକାଳ ସୁଦ୍ଧା ସେମାନଙ୍କୁ ଦରମା ପ୍ରଦାନ କରିବା ପରେ ସହରରେ ସଫେଇ କାର୍ଯ୍ୟ ସ୍ବାଭାବିକ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏକ ଘରୋଇ ସଂସ୍ଥାକୁ ପୌର କର୍ତ୍ତୃପକ୍ଷ ବାରିପଦା ସହରର ସଫେଇ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ସଂସ୍ଥା ମାସର ପ୍ରଥମ ସପ୍ତାହରେ ସଫେଇ କର୍ମଚାରୀଙ୍କ ଦରମା ପ୍ରଦାନ କରିବା କଥା। ହେଲେ ସଂସ୍ଥା ଦୀର୍ଘ ଦିନ ହେବ ଦରମା ପ୍ରଦାନ କରି ନ ଥିବାରୁ ମଙ୍ଗଳବାର ସକାଳଠାରୁ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପୌର କାର୍ଯ୍ୟାଳୟ ଆଗରେ ସେମାନେ ଧାରଣାରେ ବସିବା ସହ ପୌର କର୍ମଚାରୀଙ୍କୁ ଅଟକ ରଖିଥିଲେ। ସେହିପରି ବୁଧବାର ସକାଳେ ପୌର କାର୍ଯ୍ୟାଳୟ ଭିତରେ ଅଳିଆ ଫିଙ୍ଗି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ଫଳରେ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ବାଧ୍ୟ ହୋଇ ପୌର ଅଧିକାରୀ ଓ ସଫେଇ ସଂସ୍ଥାର କର୍ମଚାରୀ ସେମାନଙ୍କୁ ଗୁରୁବାର ସକାଳ ସୁଦ୍ଧା ଦରମା ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି।