ବାରିପଦାରେ ରଥ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୧୯ା୪- ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀଶ୍ରୀ ହରି ବଳଦେବଜୀଉ ଜଗନ୍ନାଥ ମହାପ୍ରଭୁଙ୍କ ଚଳିତ ବର୍ଷର ରଥ ଯାତ୍ରା ଲାଗି ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମହାରଣାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ଏପ୍ରିଲ ୨୬ରେ ଅକ୍ଷୟ ତୃତୀୟା ପଡ଼ୁୁଥିବାରୁ ଏହା ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଅନୁକୁଳ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ପାଇଁ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଜୁନ୍‌ ୨୩ ତାରିଖରେ ମହାପ୍ରଭୁ ରଥକୁ ପହଣ୍ଡି କରିବେ। ଏଥି ନିମନ୍ତେ ଦରକାର ହେଉଥିବା ରଥ ବାର୍ଛିଆ, ପୋଟଳ ଚିରା, ବିନ୍ଧାଣି ଏବଂ ଦଉଡ଼ିବଳାମାନଙ୍କୁ ନେଇ ରଥ କାର୍ଯ୍ୟ ଜୁନ୍‌ ୨୦ ତାରିଖ ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍‌କୁ ନେଇ ହୋଇଥିବା ଲକ୍‌ ଡାଉନ ସମୟରେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ମଧ୍ୟ କୁହାଯାଇଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ପ୍ରତି ଦୃଷ୍ଟି ଦେବାକୁ ମହାରଣାମାନଙ୍କୁ କୁହାଯାଇଛି। ପ୍ରଶାସନର ନିର୍ଦ୍ଦେଶକ୍ରମେ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।