ବାରାଣସୀକୁ ଉଡ଼ିଲା ବିମାନ

ଭୁବନେଶ୍ୱର, ୧।୨(ବ୍ୟୁରୋ): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରାଣସୀକୁ ଶୁକ୍ରବାରଠାରୁ ବିମାନସେବା ଆରମ୍ଭ ହୋଇଛି। ଏଲାଏନ୍ସ ଏୟାର୍‌ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଉଛି। ପ୍ରଥମ ଦିନରେ ଝାରସୁଗୁଡ଼ାରୁ କେହିି ଯାତ୍ରୀ ନ ଥିବାବେଳେ ଭୁବନେଶ୍ୱରରୁ ୪୦ଜଣ ବାରାଣସୀକୁ ଯାତ୍ରା କରିଛନ୍ତି। ୭୨ ସିଟ୍‌ ବିଶିଷ୍ଟ ଏହି ବିମାନଟି ପ୍ରତ୍ୟହ ଝାରସୁଗୁଡ଼ା ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟାରେ ଉଡ଼ାଣ କରି ଭୁବନେଶ୍ୱରରେ ୧୧ଟା ୫ ମିନିଟ୍‌ରେ ପହଞ୍ଚିବ। ଭୁବନେଶ୍ୱରରୁ ଅପରାହ୍ନ ୧୨ଟା ୧୫ରେ ଉଡ଼ାଣ କରି ବାରାଣସୀରେ ଅପରାହ୍ନ ୨ଟାରେ ପହଞ୍ଚିବ। ବାରାଣସୀରୁ ବିମାନଟି ଅପରାହ୍ନ ୨ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ୪ଟା ୨୦ ମିନିଟ୍‌ରେ ପହଞ୍ଚିବ। ଆଉ ଭୁବନେଶ୍ୱରରୁ ଅପରାହ୍ନ ୪ଟା ୪୫ ମିନିଟ୍‌ ସମୟରେ ଉଡ଼ାଣ କରି ଅପରାହ୍ନ ୫ଟା ୫୦ରେ ବିମାନଟି ଝାରସୁଗୁଡ଼ାରେ ପହଞ୍ଚିବ।