ଭୁବନେଶ୍ୱର,୨୫।୭ (ରବିନାରାୟଣ ଜେନା):ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଧିକାଂଶ ସମୟରେ ସରକାରଙ୍କ ବିନା ଅନୁମତିରେ ଛୁଟି ନେଇ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରୁଛନ୍ତି। ଏହାଦ୍ୱାରା କେବଳ ଯେ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି ତାହା ନୁହେଁ, ସମ୍ପୃକ୍ତ ବିଭାଗ ମଧ୍ୟ ଅକଳରେ ପଡୁଛି। ଏନେଇ ୨୦୧୮ ଡିସେମ୍ବର ପହିଲାରେ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାସହିତ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୧୯ ଅଗଷ୍ଟ ୨୯ରେ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ହେଲେ ବାବୁମାନେ ତାକୁ ମାନିବାକୁ ନାରାଜ। ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏଣିକି ଯେଉଁ ଅଧିକାରୀ କିମ୍ବା କର୍ମଚାରୀ ବ୍ୟକ୍ତିଗତ କାର୍ଯ୍ୟରେ ବିଦେଶ ଯାତ୍ରା କରିବେ, ସେମାନଙ୍କୁ ୨୧ ଦିନ ପୂର୍ବରୁ ସମ୍ପୃକ୍ତ ବିଭାଗର କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ହେବ। ଯଦି ବିନା ଅନୁମତିରେ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଓଡ଼ିଶା ବାହାରକୁ କିମ୍ବା ବିଦେଶ ଗସ୍ତ କରୁଛନ୍ତି ତେବେ ସେ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅର୍ଥ ବିଭାଗ ପକ୍ଷରୁ ଜୁଲାଇ ୨୧ରେ କୁହାଯାଇଛି।
ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ଓଡ଼ିଶା ସେଲ୍ସଟାକ୍ସ ଟ୍ରିବ୍ୟୁନାଲର ଅଧ୍ୟକ୍ଷ, ସିଟି ଜିଏସ୍ଟି କମିଶନର, ଏମ୍ଡିଆର୍ଏଏଫ୍ଏମ୍ ନିର୍ଦ୍ଦେଶକ, କମ୍ପ୍ଟ୍ରୋଲର ଅଫ୍ ଆକାଉଣ୍ଟ୍ସ ଓଡ଼ିଶା, ଲୋକାଲ ଫଣ୍ଡ ଅଡିଟ୍ ନିର୍ଦ୍ଦେଶକ, କୋଷାଗାର ନିର୍ଦ୍ଦେଶକ, ଯୁଗ୍ମ ସଚିବ ଅର୍ଥବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି, କୌଣସି ସରକାରୀ କର୍ମଚାରୀ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯାତ୍ରା କରିବାକୁ ଚାହିଁଲେ, ସାଧାରଣ ଛୁଟି (କାଜୁଆଲ୍ ଲିଭ୍ ବ୍ୟତୀତ) ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ପୂର୍ବରୁ ମଞ୍ଜୁର କରାଇବା ସହ ମୁଖ୍ୟାଳୟ ଛାଡ଼ିବା ପାଇଁ ମଧ୍ୟ ପୂର୍ବ ଅନୁମତି ନେବା ବାଧ୍ୟତାମୂଳକ। ମାତ୍ର
ଲକ୍ଷ୍ୟ କରାଯାଇଛି, ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟରତ କେତେକ ଅଧିକାରୀ ଓ କର୍ମଚାରୀ ପୂର୍ବ ଛୁଟି ମଞ୍ଜୁରି କିମ୍ବା ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନ ନେଇ ଯାତ୍ରା କରୁଛନ୍ତି। ଏପରି କି ଅତି କମ୍ ସମୟ ପୂର୍ବରୁ ଛୁଟି ଆବେଦନ କରୁଛନ୍ତି, ଯାହା ଫଳରେ ସମୟ ମଧ୍ୟରେ ଛୁଟି ମଞ୍ଜୁର କରିବା କିମ୍ବା ଅନୁମତି ପ୍ରଦାନ କରିବା କଷ୍ଟକର ହୋଇପଡୁଛି। ତେଣୁ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବାକୁ ହେଲେ, ଅତି କମ୍ରେ ୨୧ ଦିନ ପୂର୍ବରୁ ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନିମନ୍ତେ ଆବେଦନ କରିବାକୁ ପଡ଼ିବ। କେବଳ ଜରୁରୀ ପରିସ୍ଥିତିରେ ଏହାର ବ୍ୟତିକ୍ରମ ହୋଇପାରିବ। କୌଣସି କର୍ମଚାରୀ ବ୍ୟକ୍ତିଗତ କାରଣରୁ ଓଡ଼ିଶା ବାହାରକୁ କିମ୍ବା ବିଦେଶ ଯିବା ପୂର୍ବରୁ ତାଙ୍କର ଛୁଟି ମଞ୍ଜୁର ହେବା ସହିତ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ମଧ୍ୟ ପ୍ରଦାନ କରାଯିବା ବାଧ୍ୟତାମୂଳକ ବୋଲି ସାଗରିକା ପତ୍ରରେ ଦର୍ଶାଇଛନ୍ତି।
Dharitri – Odisha’s No.1 Odia Daily

