ବାପା-ପୁଅ, ଦୁଇ ଭଉଣୀଙ୍କୁ ଭୋଟରଙ୍କ ପ୍ରତ୍ୟାଖ୍ୟାନ

ସୁନ୍ଦରଗଡ଼, ୨୫ା୫ (ଡି.ଏନ.ଏ.): ସରିଛି ୨୦୧୯ ସାଧାରଣ ନିର୍ବାଚନ। ଗୁରୁବାର ଫଳାଫଳ ପ୍ରକାଶ ପାଇବା ପରେ ସୁନ୍ଦରଗଡ଼ ଜିଲାର କେତେଜଣ ହେଭିଓ୍ବେଟ ନେତାଙ୍କ ପରାଜୟ ହୋଇଛି। କେଉଁ ନେତା ହ୍ୟାଟ୍ରିକ କରିଥିବା ବେଳେ ଆଉ କେଉଁ ନେତା ପ୍ରଥମ କରି ବିଜୟର ସ୍ବାଦ ଚାଖିଛନ୍ତି। ହେଲେ ଏହି ନିର୍ବାଚନରେ ପରିବାରବାଦ ରାଜନୀତିକୁ ସୁନ୍ଦରଗଡ଼ ଜିଲାର ଭୋଟରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଗାତର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଥିବା ଜର୍ଜ ତିର୍କୀ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟରେ ସୁନ୍ଦରଗଡ଼ ଲୋକ ସଭା ପ୍ରାର୍ଥୀ ହୋଇଥିଲେ। ଏଥିସହିତ ତାଙ୍କ ପୁଅ ଯୋଶେଫ ରୋହିତ ତିର୍କୀଙ୍କୁ ବୀରମିତ୍ରପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟରେ ପ୍ରାର୍ଥୀ କରି ନିଜର ପାରମ୍ପରିକ ଗଡ଼କୁ ରକ୍ଷା କରିବା ସକାଶେ ଉଦ୍ୟମ କରିଥିଲେ। ହେଲେ ଭୋଟ ଫଳାଫଳ ପ୍ରକାଶ ପରେ ଜର୍ଜଙ୍କ ଆଶା ମଉଳି ଯାଇଛି। ନିଜେ ଜର୍ଜ ପରାଜିତ ହେବା ସହ ପୁଅ ଯୋଶେଫଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି।
ସେହିପରି ଏହି ନିର୍ବାଚନରେ ଅନ୍ୟ ଏକ ରୋଚକ ଘଟଣାକ୍ରମରେ କଂଗ୍ରେସର ତୁଙ୍ଗ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଝିଅ ସୁନିତା ଓ ଅମିତାଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ମିଳିଛି ।
ପ୍ରଥମ କରି ରାଜନୀତିରେ ପାଦ ଥାପିଥିବା ସୁନୀତା ବିଶ୍ୱାଳ ସୁନ୍ଦରଗଡ଼ ଲୋକ ସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ା ତାଙ୍କ ଭଉଣୀ ଅମିତା ବିଶ୍ୱାଳ ସୁନ୍ଦରଗଡ଼ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ହେଲେ ଉଭୟଙ୍କ ବିଜୟ ଆଶା ଧୂଳିସାତ ହୋଇଛି ା