ବାପାଙ୍କ ମୃତଦେହ କାନ୍ଧେଇ ଶ୍ମଶାନ ନେଲେ ତିନି ଝିଅ:ସାନ ଝିଅ ଦେଲେ ମୁଖାଗ୍ନି

ମାଲକାନଗିରି, ୧୯ା୭(ଡି.ଏନ୍‌.ଏ.):ଘରେ କାହାର ମୃତ୍ୟୁ ହେଲେ ପୁରୁଷମାନେ ମୃତଦେହକୁ କୋକେଇରେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନିଅନ୍ତି। ଘରର ପୁଅ ହିଁ ମୁଖାଗ୍ନି ଦିଅନ୍ତି। ଏହା ଆମ ସମାଜରେ ପୁରୁଷ ପୁରୁଷ ଧରି ପ୍ରଚଳିତ ପ୍ରଥା। ଯଦିଓ କେଉଁଠି କେଉଁଠି ଏବେ ଝିଅମାନେ ମୁଖାଗ୍ନି ଦେବାର ଦେଖାଯାଉଛି, କିନ୍ତୁ ସେମାନଙ୍କ ସଂଖ୍ୟା ତାହା କ୍ୱଚିତ୍‌। ଗୁରୁବାର ମାଲକାନଗିରିରେ ଦେଖିବାକୁ ମିଳିଥିବା ଚିତ୍ର ଏସବୁରୁ ଭିନ୍ନ। ବାପାଙ୍କ ମୃତ୍ୟୁ ପରେ ତିନି ଝିଅ ମୃତଦେହକୁ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେବା ପରେ ସାନ ଝିଅ ଅନ୍ତ୍ୟେଷ୍ଟି କର୍ମ ତୁଲାଇ ମୁଖାଗ୍ନି ଦେଇଛନ୍ତି।
ସୂଚନା ଅନୁଯାୟୀ, ମାଲକାନଗିରି ସଦର ୧୧୯ କଲୋନୀର ସୁକାନ୍ତ କୁମାର ପଟ୍ଟନାୟକ ଏକ ସାଇକେଲ ଦୋକାନ କରି ପରିବାର ଚଳାଇ ଆସୁଥିଲେ। ଗୁରୁବାର ସକାଳେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିଲା। ଖବର ପାଇ ସାହି ପଡିଶା ସୁକାନ୍ତଙ୍କ ଘରେ ଜମା ହୋଇଥିଲେ। ପୁଅ ନ ଥିବାରୁ କିଏ ମୁଖାଗ୍ନି ଦେବ ଏ ନେଇ ଚାଲିଲା ଚର୍ଚ୍ଚା। ଏହା ମଧ୍ୟରେ ତାଙ୍କର ତିନି ଝିଅ ସସ୍ମିତା, ସ୍ମିତା ଓ ସଙ୍ଗୀତା ବାପାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଓ ଅନ୍ୟ ସମସ୍ତ କର୍ମ କରିବେ ବୋଲି କହି ଆଗେଇ ଆସିଥିଲେ। କୋକେଇରେ ବାପାଙ୍କ ମୃତଦେହ କାନ୍ଧେଇ ଚାଲିଥିଲେ ମାଲକାନଗିରି ରାସ୍ତାରେ। ଏହି ଦୃଶ୍ୟ ଥିଲା ଅତି ମର୍ମସ୍ପର୍ଶୀ। ଏହି ଘଟଣା ମାଲକାନଗିରିବାସୀଙ୍କ ମନରେ ଆଲୋଡନ ସୃଷ୍ଟି କରିଛି।