ବାପାଙ୍କୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ବଣାଇଁ, ୪।୬(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅଧୀନ ରାଣିବେର୍ଣ୍ଣା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ର କରି ଦୁଇ ପୁଅ କାଠ ଫାଳିଆରେ ପିଟି ପିଟି ବାପାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାପା ମଙ୍ଗରା ଭୁମିଜ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ବିବାହ କରିଥିଲେ। ଏହାକୁ ନେଇ ପ୍ରଥମ ସ୍ତ୍ରୀଙ୍କ ଦୁଇ ପୁଅ ଏବଂ ବାପାଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ଅନ୍ୟପକ୍ଷେ ଶୁକ୍ରବାର ରାତିରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ଏହାପରେ ଉତ୍ତ୍ୟକ୍ତ ଦୁଇପୁଅ କାଠଫାଳିଆରେ ବାପା ମଙ୍ଗରାଙ୍କୁ ପିଟି ପିଟି ହତ୍ୟା କରିଥିଲେ l ଏତିକିରେ ଦୁଇ ଭାଇଙ୍କ ରାଗ ଶାନ୍ତ ହୋଇ ନ ଥିଲା, ବାପାଙ୍କ ଉପରକୁ ସେମାନେ ଏକ ସ୍କୁଟିକୁ ଚଢାଇ ଦେଇଥିଲେ। ତେବେ ଦୁଇ ପୁଅ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ରହିଛି। ଖବର ପାଇ ଚାନ୍ଦିପୋଷ ଥାନା ଅଧିକାରୀ ଶନିବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁଇ ଭାଇଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ରାଉରକେଲାରୁ ଏକ ସାଇଣ୍ଟିଫିକ ଟିମ୍‌ ଆସିବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଛି। ଏହି ଘଟଣା ଉକ୍ତ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।