Categories: ଗଞ୍ଜାମ

ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀ ଅନୁଧ୍ୟାନ କଲା ପ୍ରଶାସନ

ଛତ୍ରପୁର,୧ା୫(ଡି.ଏନ.ଏ)-ସମ୍ଭାବ୍ୟ ବାତ୍ୟା ‘ଫନୀ’ ମୁକାବିଲା ନେଇ ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଛତ୍ରପୁର ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଛତ୍ରପୁର ବିଡିଓ ଅମ୍ବିକା ଦାଶ, ତହସିଲଦାର ନୀଳମାଧବ ଭୋଇ ଏବଂ ଅନ୍ୟ ଅଧିକାରୀମାନେ ବ୍ଲକର ବିଭିନ୍ନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ସ୍କୁଲ, ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନା ଆଦିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନା ପାଇବା ମାତ୍ରେ ସମୁଦ୍ରକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ। ଆଶ୍ରୟସ୍ଥଳୀରେ ରୋଷେଇ ପାଇଁ ବିଭିନ୍ନ ସାମଗ୍ରୀ ପହଞ୍ଚି ସାରିଛି। ଜିଲାର ସମସ୍ତ ପଞ୍ଚାୟତରେ ଧେଣ୍ଡୁରା ଦ୍ୱାରା ବାତ୍ୟା ସମ୍ପର୍କିତ ସୂଚନା ଦିଆଯିବା ସହ ସତର୍କ ରହିବାକୁ କୁହାଯାଇଥିଲା। ଅପରାହ୍ନରେ ଛତ୍ରପୁର ବ୍ଲକରୁ  ଏକ ଗାଡି ବାହାରି ସମସ୍ତ ଗାଁରେ ବାତ୍ୟା ସମ୍ପର୍କରେ ସୂଚନା ଦେଇଛି। ଏଥିସହ ପରେ ବ୍ଲକ ସମ୍ମିଳନୀ ଗୃହରେ ଏକ  ପ୍ରସ୍ତୁତି  ବୈଠକ ବିଡିଓ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ତହସିଲଦାର, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଏବିଡିଓ ପ୍ରଦୀପ କୁମାର ପଣ୍ଡାଙ୍କ ସମେତ ଜିଲା ପରିଷଦ ସଭ୍ୟ ଏସ୍‌ କିଶୋର ରେଡ୍ଡୀ, ସରପଞ୍ଚ, ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଲୋକଙ୍କୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସୂଚନା ସହ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର, ରିଲିଫ୍‌ ବଣ୍ଟନ ଆଦି ଉପରେ ଆଲୋଚନା ହୋଇଥିଲା। ବ୍ଲକର ସାନଆର୍ଯ୍ୟପଲ୍ଲୀ, କାଳିପଲ୍ଲୀ, କଣମଣା ଓ  ଅଗସ୍ତିନୂଆଗାଁ ପଞ୍ଚାୟତର ବିଭିନ୍ନ ଗାଁ ସମୁଦ୍ର ଉପକୂଳ ନିକଟରେ ରହିଛି। ଜିଲାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।