ବାତ୍ୟା ‘ଫନୀ’ ମାଡ଼: ୫ ସହରରେ ଉଜୁଡ଼ିଗଲା ୧.୭୩ ଲକ୍ଷ ବୃକ୍ଷ

ଭୁବନେଶ୍ୱର,୨।୭(ବ୍ୟୁରୋ): ମେ’ ୩ ତାରିଖରେ ହୋଇଥିବା ସାମୁଦ୍ରିକ ଝଡ଼ ଫନୀରେ ୫ ସହରରେ ୧ ଲକ୍ଷ ୭୩ହଜାର ୯୫୭ ଗଛ ବରବାଦ ହୋଇଛି। ଜଟଣୀରେ ୩ହଜାର ୪୭୩ଟି ଗଛ, ଖୋର୍ଦ୍ଧାରେ ୪୯୬, ପୁରୀରେ ୪୯ହଜାର ୪୫୯, ଭୁବନେଶ୍ୱରରେ ୧୨ହଜାର ୮୮୩ଏବଂ କଟକ ସହରରେ ୧୭ ହଜାର ୬୯୧ଟି ଗଛ ନଷ୍ଟ ହୋଇଛି। ମଙ୍ଗଳବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଏହି ଉତ୍ତର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ।

ବିଜେଡି ସଦସ୍ୟ ସୌଭିକ ବିଶ୍ୱାଳ ଫନୀ ବାତ୍ୟାରେ ଚୌଦ୍ୱାର ଓ କଟକ ସହରରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଥିବାରୁ ଚଳିତ ବର୍ଷ ସେସବୁ ସବୁଜିମା ଫେରାଇ ଆଣିବା ଲାଗି ସରକାର କି ପଦକ୍ଷେପ ନେଇଛନ୍ତି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ଚୌଦ୍ୱାର ଓ କଟକ ସହରେ ବହୁଳ ବୃକ୍ଷ ରୋପଣ ପାଇଁ ସରକାର ୨୦୧୯-୨୦ରେ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ବିଭିନ୍ନ ବନୀକରଣ ଯୋଜନାରେ ୧୨ହଜାର ଚାରା ରୋପଣ କରାଯିବ। ଏଥିସହ ୧ ଲକ୍ଷ ୫୦ହଜାର ଚାରା ମାଗଣାରେ ଲୋକମାନଙ୍କୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।