ବାତ୍ୟାରେ ମଣିମୁହଁ ଛାରଖାର: ପୁନର୍ବାର ବୃକ୍ଷରୋପଣ ଦାବି

ନିରାକାରପୁର,୨୯ା୫(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ଅଧୀନ ରାଉଳହଜ ମୌଜାସ୍ଥିତ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଆମ୍ବଗଛ ଥିବା ଏକ ତୋଟା ଫନୀ ଯୋଗୁ ଛାରଖାର ହୋଇଯାଇଛି। ଏହି ବିସ୍ତୃତ ସୁନ୍ଦର ସବୁଜ ଅଞ୍ଚଳଟି ମଣିମୁହଁ ନାମରେ ପରିଚିତ। ମଣିମୁହଁ ଯେପରି ସମସ୍ତଙ୍କୁ ଆକର୍ଷିତ କରିପାରୁଥିଲା ଫନୀ ପରେ ଏହାର ସୌନ୍ଦର୍ଯ୍ୟ ସମ୍ପୂର୍ଣ୍ଣ ହରାଇ ସାରିଛି ବୋଲି ସ୍ଥାନୀୟ ଲୋକେ କହୁଛନ୍ତି । କାରଣ ବାତ୍ୟା ପବନରେ ହଜାର ହଜାର ଗଛ ଭାଙ୍ଗି, ଉପୁଡ଼ିଯାଇଛି। ତୋଟାଟି ଖରାଦିନେ ବେଶ୍‌ ଥଣ୍ଡା, ଆରାମ ଲାଗୁଥିବାରୁ ସ୍ଥାନୀୟ ଲୋକେ ଏବଂ ପଶୁପକ୍ଷୀ ଆଶ୍ରୟ ନେଉଥିଲେ। ଗରିବ ଲୋକେ ତୋଟାରୁ ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି ଭାବେ ବ୍ୟବହାର କରୁଥିଲେ। ରଜ ପର୍ବ ସମୟରେ ଝିଅମାନେ ଏଠାରେ ଥିବା ବୃକ୍ଷରେ ଦଉଡ଼ି ବାନ୍ଧି ରଜଦୋଳି କରୁଥିଲେ। ସମ୍ପ୍ରତି ତୋଟାର ଚତୁଃପାର୍ଶ୍ୱରେ କେବଳ ଥୁଣ୍ଟାଗଛ ଦୃଷ୍ଟିଗୋଚର ହେଉଛି। ମଣିମୁହଁର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ପୁନର୍ବାର ସରକାରଙ୍କ ତରଫରୁ ଏଠାରେ ପ୍ରଚୁର ପରିମାଣରେ ଆମ୍ବ ଆଦି ଚାରାରୋପଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।