ବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ଶିଳ୍ପୀ ବାଟିକା:ଜିବୀକା ହରାଇଛନ୍ତି ୫୦୦ରୁ ଊର୍ଦ୍ଧ୍ୱ କାରିଗର

କୋଣାର୍କ, ୨।୬(ଡି.ଏନ୍‌.ଏ.)-ପ୍ରଳୟଙ୍କରୀ ବାତ୍ୟା ଫନୀରେ ସାମାଜିକ ସଂଗଠନ ଅର୍କଶ୍ରୀ ଦ୍ୱାରା ପ୍ରତିଷ୍ଠିତ ଶିଳ୍ପୀ ବାଟିକା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଏହା ଉପରେ ନିର୍ଭର କରୁଥିବା ୫୦୦ରୁ ଊର୍ଦ୍ଧ୍ୱ କାରିଗର ଜିବୀକା ହରାଇଛନ୍ତି। ୧୯୯୦ମସିହାରେ ଅର୍କଶ୍ରୀ ଦ୍ୱାରା ଉତ୍କଳୀୟ କଳା, ସଂସ୍କୃତି ଓ ସୃଜନୀଶିଳ କାରିଗରୀ ପ୍ରତିଷ୍ଠାନ ଶିଳ୍ପୀ ବାଟିକା ଗଢି ଉଠିଥିଲା। ଭାରତ ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ସହାୟତାରେ ବାବା ସାହେବ ଆମ୍ବେଦକର ହସ୍ତଶିଳ୍ପ ବିକାଶ ଯୋଜନାରେ କାରିଗରମାନଙ୍କୁ ୫ବର୍ଷୀୟା ଡିଜାଇନ୍‌ ଡେଭଲମେଣ୍ଟ, ପ୍ରଦର୍ଶନୀ ଓ ବିଭିନ୍ନ ତାଲିମ କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ପଥର ଖୋଦେଇ, ଚାନ୍ଦୁଆ, ଶଙ୍ଖଶାମୁକା ଓ କତା କଣ୍ଡେଇ ଆଦି ତାଲିମ ପ୍ରଦାନ କରାଯାଇଥିଲା। ଏହି ବାଟିକାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ କାରିଗର ହସ୍ତଶିଳ୍ପ ସାମଗ୍ରୀ ନିର୍ମାଣ କରି ନିଜନିଜର ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। ହାଇଦ୍ରାବାଦ ସ୍ଥିତ ନିଫ୍ଟ ତରଫରୁ ଅନୁଷ୍ଠିତ ଡିଜାଇନ ଡେଭଲମେଣ୍ଟ କାର୍ଯ୍ୟକ୍ରମରେ ଅର୍କଶ୍ରୀ ଉଦ୍ୟମରେ ଭୌଗଳିକ ଭିତ୍ତିଭୂମି ଅନୁଯାୟୀ ପଥର ଖୋଦେଇକୁ ଜିଆଇ ମାନ୍ୟତା ମିଳିଛି। ପ୍ରତିବର୍ଷ ଏହି ଶିଳ୍ପୀ ବାଟିକାର କାରିଗରମାନଙ୍କୁ ନେଇ ହସ୍ତଶିଳ୍ପ ପ୍ରଦର୍ଶନୀ, କଳା, ସଂସ୍କୃତି ଓ ସାହିତ୍ୟ ଆଦି କ୍ଷେତ୍ରରେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। ବାତ୍ୟାରେ ବାଟିକାର ୩୦ଲକ୍ଷରୁ ଅଧିକ ମୂଲ୍ୟର ବିକ୍ରି ଯୋଗ୍ୟ ହସ୍ତଶିଳ୍ପ ସାମଗ୍ରୀ, କଞ୍ଚାମାଲ, କର୍ମଶାଳା ଗୃହ, ଦରକାରୀ କାଗଜପତ୍ର ଓ ଅଫିସଗୃହ ସମ୍ପୂୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। କୋଣାର୍କ ତଥା ଆଖପାଖ ଅଞ୍ଚଳର କାରିଗର ମାନଙ୍କର ବିକାଶ ଦିଗରେ କାର୍ଯ୍ୟକରୁଥିବା ଅର୍କଶ୍ରୀ ସଂଗଠନକୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରିବା ପାଇଁ ସଂଗଠନର ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ ଦାବି କରିଛନ୍ତି।