ବାଙ୍ଗାଲୋରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବାଲିଆପାଳ, ୧୭।୧୧(ସ୍ବ.ପ୍ର.)-ବାଙ୍ଗାଲୋରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ବାଲିଆପାଳର ଜଣେ ଯୁବକ ଜଗତଜ୍ୟୋତି ପଟ୍ଟନାୟକ(୨୫)ଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି ା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବାଲିଆପାଳ ବ୍ଲକର ପାରୁଳିଆ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅରବିନ୍ଦ ପଟ୍ଟନାୟକଙ୍କ ଏକମାତ୍ର ପୁଅ ଜଗତଜ୍ୟୋତି ଦୁର୍ଗାପୂଜା ପରେ ଜଣେ ସାଙ୍ଗଙ୍କ ସହିତ ବାଙ୍ଗାଲୋର ଯାଇଥିଲେ। ସେଠାରେ ସେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ଶନିବାର ଜଗତ ତାଙ୍କ ସ୍ତ୍ରୀଙ୍କ ସହିତ କଥା ହୋଇଥିଲେ। ମାତ୍ର ଅପରାହ୍ନରେ ତାଙ୍କ ସ୍ତ୍ରୀ ଜଗତ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ମୋବାଇଲ ସୁଇଚ୍‌ ବନ୍ଦ ଥିବାରୁ ଆଉ ଯୋଗାଯୋଗ ହୋଇପାରି ନ ଥିଲା। ରବିବାର ପୂର୍ବାହ୍ନରେ ଜଗତଙ୍କ ରୁମ୍‌ରେ ରହୁଥିବା ଆସାମର ଜଣେ ବନ୍ଧୁ ତାଙ୍କ ଘରକୁ ଫୋନ୍‌ କରି କହିଥିଲେ ଯେ, ସେମାନେ ଜଗତଙ୍କୁ ଅଚେତ୍‌ ଅବସ୍ଥାରେ ରାସ୍ତାରୁ ପାଇ ହସ୍‌ପିଟାଲରେ ରଖିଛନ୍ତି। ତାଙ୍କ ପାଟିରୁ ରକ୍ତ ବାହାରୁଛି, ତୁରନ୍ତ ଆସିବାକୁ କହିଥିଲେ। ଏହି ଖବର ଜଣାପଡ଼ବା ପରେ ବାଙ୍ଗାଲୋରରେ ରହୁଥିବା ତାଙ୍କ ପରିବାର ବନ୍ଧୁମାନେ ହସ୍‌ପିଟାଲକୁ ଯାଇଥିଲେ ଏବଂ ତାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ରବିବାର ଶବ ବ୍ୟବଚ୍ଛେଦ ପରେ ସୋମବାର ଗ୍ରାମକୁ ଆସିବ ଓ ଅନ୍ତିମ ସଂସ୍କାର ହେବ। ତାଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନାହିଁ। କେତେକ ତାଙ୍କୁ ହତ୍ୟା କରାଯାଇଥିବା କହୁଥିବା ବେଳେ ଆଉ କେତେକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହୁଛନ୍ତି। ତେବେ ବାଙ୍ଗାଲୋର ପୋଲିସ ଏହି ଘଟଣାରେ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Share
Tags: H