ବାଙ୍କେଶ୍ୱରୀ ଘାଟିରେ ଅଟୋ ଓଲଟି ଚାଳକ ମୃତ

ଦିଗପହଣ୍ଡି,୨୫ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟିରେ ରବିବାର ଅଟୋ ଓଲଟି ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶେରଗଡ଼ ଗ୍ରାମ ପାଇକ ସାହିର ଉଜ୍ଜ୍ୱଳ ମହାନ୍ତି। ପାହାଡ଼ ଶିଖରରେ ଥିବା ମାଁ ବାଙ୍କେଶ୍ୱରୀଙ୍କ ଦର୍ଶନ ସାରି ଶେରଗଡ଼ ଗାଁର କିଛି ଦର୍ଶନାର୍ଥୀ ଅଟୋରେ ଫେରୁଥିବା ବେଳେ ଅଟୋ ଚାଳକ ଘାଟିରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ ପଥରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଅଟୋରେ ଥିବା ଶେରଗଡ଼ ଗ୍ରାମର ସୂର୍ଯ୍ୟନାରାୟଣ ପାତ୍ର, ସଂଯୁକ୍ତା ପାତ୍ର, ବଡ଼ଗଡ ଗ୍ରାମର ସିକନ୍ଦର ପାତ୍ର, ପୁଷ୍ପଲତା ପାତ୍ରଙ୍କ ସମେତ ଅଟୋ ଚାଳକ ଗୁରୁତର ଆହାତ ହୋଇଥିଲେ। ଦିଗପହଣ୍ଡି ଅଗ୍ନିଶମ ଅଧିକାରୀମାନେ ପହଞ୍ଚି ଆହାତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ଉଜ୍ଜ୍ୱଳଙ୍କୁ ମୃତ ଘୋଷଣା କରିଥିଲେ। ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।