Categories: ରାଜ୍ୟ

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ଟାୟାର ଜାଳି ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ଯାନବାହନ ଅଟକି ରହିଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଛେଣ୍ଡିପଦା ଅନ୍ତର୍ଗତ ବାଗେଡିଆ ଗଁାର ବାଲିବନ୍ଧରୁ ଆସିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ହୁଡା ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ କେନାଲର ପୁନଃରୁଦ୍ଧାର ଦାବି ନେଇ ଗଁାଲୋକେ ଏହି ଧାରଣା ଦେଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ସ୍ଥାୟୀ ସମାଧାନ କରିବା ପାଇଁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଜଳସେଚନ ବିଭାଗ ଏବଂ ରାଜସ୍ବ ବିଭାଗର ନିଷ୍କ୍ରିୟତା ତଥା ଅପାରଗତା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି। ଏହାର ସ୍ଥାୟି ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।