ବାଉଣ୍ଡ୍ରି ଗଣିତ ନିୟମକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୫।୭(ପିଟି)- ଗୌତମ ଗମ୍ଭୀରଙ୍କ ବ୍ୟତୀତ ପୂର୍ବତନ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାଉଣ୍ଡ୍ରି ଗଣିତ ଦ୍ୱାରା ବିଶ୍ୱ ଚାମ୍ପିୟନ ନିର୍ଦ୍ଧାରଣ କରାଯିବା ପ୍ରକ୍ରିୟାକୁ ସମାଲୋଚନା କରିଛନ୍ତି। ରବିବାର ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଟାଇ ରହିବା ଯୋଗୁ ସୁପର ଓଭର ସହାୟତା ନିଆଯାଇଥିଲା। ହେଲେ ସୁପର ଓଭର ମଧ୍ୟ ଟାଇ ରହିଥିଲା। ଫଳରେ ଅପେକ୍ଷାକୃତ ଅଧିକ ବାଉଣ୍ଡ୍ରି ମାରିଥିବା ଦଳକୁ ବିଜେତା ଘୋଷଣା କରାଯାଇଥିଲା। ଇଂଲଣ୍ଡ ଦଳ ମ୍ୟାଚ୍‌ ଓ ସୁପର ଓଭରରେ ୨୨ ଚୌକା ଓ ୨ ଛକାକୁ ମିଶାଇ ମୋଟ ୨୪ ବାଉଣ୍ଡ୍ରି ଲଗାଇଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡ ମୋଟ ୧୬ ବାଉଣ୍ଡ୍ରି ମାରିଥିଲା। ବିଶ୍ୱକପ୍‌ ଫାଇନାଲରେ ଏହି ଗେମ୍‌ର ଫଳାଫଳ କେମିତି ବାହାରିଲା ବୁଝାପଡ଼ୁନାହିଁ। ଅଧିକ ବାଉଣ୍ଡ୍ରି ମାରିଥିବା ଦଳକୁ ବିଜେତା ଧରି ନେବା ଏକ ହାସ୍ୟାସ୍ପଦ ନିୟମ। ଫାଇନାଲ ମ୍ୟାଚ୍‌ ଟାଇ ଭାବେ ଶେଷ ହେବା ଉଚିତ ଥିଲା। ଉଭୟ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦଳକୁ ରୋମାଞ୍ଚକ ଫାଇନାଲ ପାଇଁ ଶୁଭେଚ୍ଛା ବୋଲି ଗମ୍ଭୀର ଟୁଇଟ୍‌ କରିଛନ୍ତି। ୨୦୧୧ ବିଶ୍ୱକପ ଚାମ୍ପିୟନ ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଯୁବରାଜ ସିଂ ଟୁଇଟ୍‌ କରିଛନ୍ତି, ମୁଁ ଆଇସିସି ନିୟମ ସହ ଏକମତ ନୁହେଁ। କିନ୍ତୁ ନିୟମ ଯାହା ଧାର୍ଯ୍ୟ ହୋଇଛି, ତାହା ପରିବର୍ତ୍ତନ ହୋଇପାରିବ ନାହିଁ। ଚାମ୍ପିୟନ ଇଂଲଣ୍ଡକୁ ଶୁଭେଚ୍ଛା। ନ୍ୟୁଜିଲାଣ୍ଡ ଦଳର ଖେଳାଳିଙ୍କ ପ୍ରତି ମୋର ସହାନୁଭୂତି ରହିଛି। ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡ ସ୍କଟ୍ଟ ଷ୍ଟାଇରିସ ଓ ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ଆଇସିସି ନିୟମକୁ ଏକ ଜୋକ ବୋଲି କହିଛନ୍ତି।

Share